*ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଜଣେ ଗିରଫ ଓ ଦୁଇ ଫେରାର l ଦାନଗଦି ପୋଲିସ ହାତ ଖାଲି l*
ଯାଜପୁର,କଳିଙ୍ଗନଗର,ଭଞ୍ଜଦୁତ ବ୍ୟୁର
ଦାନଗଦି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେ ରହୁଥିବା ସାମ୍ବାଦିକ ମହେନ୍ଦ୍ର ନାଥ (୪୯) ଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତି ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଛନ୍ତି । ସାମ୍ବାଦିକ ମହେନ୍ଦ୍ର ପୂର୍ବାହ୍ନ ସାଢ଼େ ୧୦ ଟା ବେଳେ ନିଜ ବାଇକରେ ଦାନଗଦି ଗାଁ ରାସ୍ତାରେ ଯାଉଥିବା ସମୟରେ ଦାନଗଦି ପାତ୍ର ସାହିର ସନ୍ତୋଷ ପାତ୍ର (୪୭) ତାର ଅନ୍ୟ ୨ ଜଣ ସାଥୀଙ୍କ ସହିତ ରାସ୍ତା ବନ୍ଦ କରି ରଖୁଥିଲେ। ରାସ୍ତାରୁ ବାଇକ ହଟାଇବା ପାଇଁ ମହେନ୍ଦ୍ର କହିବାରୁ ଏହାକୁ ନେଇ ଦୁର୍ବୃତ୍ତମାନେ ହଠାତ ଉତ୍ତେଜିତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମହେନ୍ଦ୍ର ସେଠାରୁ ଚାଲି ଆସି ଘରେ ପହଞ୍ଚି ଦାନଗଦି ପୋଲିସକୁ ଘଟଣା ସଂପର୍କରେ ଫୋନରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସିବାକୁ କହି ଡାକିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ମହେନ୍ଦ୍ର ସେଠାରେ ପହଞ୍ଚିବାରୁ ଲୁହା ଛଡ଼ ଓ ବ୍ଲେଡ ଧରି ପ୍ରସ୍ତୁତ ରହିଥିବା ୩ ଦୁବୃର୍ଭ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସନ୍ତୋଷ ଏକ ଲୁହା ରଡ଼ରେ ମହେନ୍ଦ୍ରଙ୍କ ଆଣ୍ଠୁକୁ ନିର୍ଦ୍ଦୟ ଭାବେ ବାଡେଇବାରୁ
ମହେନ୍ଦ୍ର ତଳେ ପଡ଼ି ଯାଇଥିଲେ । ୩ ଜଣ ଯାକ ତାଙ୍କୁ ନିସ୍ତୁକ ବିଧା ଗୋଇଠା ମାରିବା ସହିତ ମହେନ୍ଦ୍ରଙ୍କ ହାତରୁ ଏକ ସୁନା ମୁଦି ଓ ୪୩୦୦ ଟଙ୍କା ଛଡ଼ାଇ ନେଇଥିଲେ। ପୋଲିସ ଗାଡ଼ି ସେଠାରେ ପହଞ୍ଚିବା ଦେଖ୍ ସମସ୍ତେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସନ୍ତୋଷକୁ ଧରିଥିଲା। ତା ଠାରୁ ଏକ ମୋଟର ସାଇକଲ, ଆକ୍ରମଣରେ ବ୍ୟବହୃତ ଲୁହା ଛଡ଼ ଓ ଲୁଟ ଟଙ୍କା ଜବତ ହୋଇଥିଲା। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆହତ ମହେନ୍ଦ୍ରଙ୍କ ଚିକିତ୍ସା ଓ ଆଣ୍ଠୁ ପ୍ରତ୍ୟାରୋପଣ ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫେରାର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ସମସ୍ତ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି l
