*ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ) ,
ତା ୧୨.୦୩
ନୂଆପଡା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଆନୁକୁଲ୍ୟରେ ଗ୍ରୀଷ୍ମ ପ୍ରବାହ (Heat Wave) ପରିସ୍ଥିତିର ମୁକାବିଲା ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ସହିତ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବିଭାଗକୁ ନିଜ ନିଜ ଏକ୍ସନ ପ୍ଳାନ ପ୍ରସ୍ତୁତ କରି ସମୟୋଚିତ ଭାବେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ଚିକିତ୍ସାଳୟଗୁଡିକରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା, ପର୍ଯ୍ୟାପ୍ତ ଓଆରଏସ୍, ଔଷଧ ଓ ଆଇସ୍ ପ୍ୟାକ୍ ମହଜୁଦ ରଖିବାକୁ କୁହାଯାଇଥିଲା ।
ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳଗୁଡିକୁ ପୂର୍ବରୁ ଚିହ୍ନଟ କରି ସେଠାରେ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା, ଅଚଳ ନଳକୂପ ମରାମତି କରିବା ଓ ଆବଶ୍ୟକତାନୁସାରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୌରସଭା ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବା ସହ ଗ୍ରୀଷ୍ମ ପ୍ରବାହ ସମ୍ପର୍କିତ ଜନସଚେତନତା ବଢ଼ାଇବା ପାଇଁ ଆଲୋଚନା ହୋଇଥିଲା ।
ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସୁରକ୍ଷିତ ପାନୀୟଜଳ ବ୍ୟବସ୍ଥା, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ପୁନଃନିର୍ଦ୍ଧାରଣ, ବସ ଓ ବସ୍ଷ୍ଟାଣ୍ଡରେ ପାନୀୟଜଳ ଓ ଓଆରଏସ୍ ବ୍ୟବସ୍ଥା କରିବାକୁ ସମ୍ପର୍କିତ ବିଭାଗକୁ କୁହାଯାଇଥିଲା । ବିଦ୍ୟୁତ ବିଭାଗକୁ ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ କମାଇବା ଓ ଶକ୍ତି ସଂରକ୍ଷଣ ଉପରେ ସଚେତନତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅଂଶୁଘାତ ଯୋଗୁ ଯଦି କାହାର ମୃତ୍ୟୁ ଘଟେ, ତେବେ ତୁରନ୍ତ ତଦନ୍ତ କରି DAMPS ପୋର୍ଟାଲ ମାଧ୍ୟମରେ ଅନୁଗ୍ରହ ଅର୍ଥ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଶାସନ ତରଫରୁ ଜଳ ଛତ୍ର ବ୍ୟବସ୍ଥା ବ୍ଯତୀତ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, ଏନଜିଓ, ସିଭିଲ ସୋସାଇଟୀ ମାନଙ୍କୁ ଜଳ ଛତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ସେହିପରି, ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଅଧିକ ବ୍ୟାପକ ହେବା ଆଶଙ୍କା ଥିବାରୁ, ଜିଲ୍ଲାପାଳ ବନ ଖଣ୍ଡ ଅଧିକାରୀ କେନ୍ଦୁ ପତ୍ରଙ୍କୁ ଏଥି ପ୍ରତି ଅଧିକ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ସିଡିଏମ୍ ଓ ପିଏଚଓ ଡ. ଧନେଶ୍ୱର ସେଠୀ, ଡିଏଫଓ (କେନ୍ଦୁପତ୍ର) ଶ୍ରୀମତୀ କେ ମାଧବୀଲତା ସମେତ ସମସ୍ତ ବିଡ଼ିଓ ,ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।
