ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
ଛତ୍ରପୁର, ତା. ୧୨.୦୩.୨୬ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କ୍ୟାମ୍ପସ୍ ବିସ୍ତାର ପାଇଁ ଅତିରିକ୍ତ ଜମି ଆବଶ୍ୟକତା, କ୍ୟାମ୍ପସ୍ ଉପରେ ସିଆରଜେଡ ଅଞ୍ଚଳର ପ୍ରଭାବ, ପୂର୍ତ୍ତ ବିଭାଗ ପକ୍ଷରୁ ଆଇଜର୍ ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଥିବା ରାସ୍ତାକୁ ପ୍ରଶସ୍ତ କରିବା, ଅବୈଧ ଦଖଲ ହଟାଇବା, ଗୋଳାବନ୍ଧ ରୁ ଆଇଜର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ତିଆରି କରିବା, ଜାତୀୟ ରାଜପଥ ୧୬ର କନିସି ଓ ଡୁମଡୁମି ନିକଟରେ ସାଇନେଜ ଲଗାଇବା, କନିସି –ଆଇଜର ରାସ୍ତାର ପାର୍ଶ୍ୱରେ ଥିବା ଅଚଳ ବିଦ୍ୟୁତ୍ ଖୁଣ୍ଟି ଗୁଡିକର ଅପସାରଣ, ରାସ୍ତା ପ୍ରଶସ୍ତ କରିବାରେ ବାଧା ସୃଷ୍ଟି କରୁଥିବା ବିଦ୍ୟୁତ୍ ଖୁଣ୍ଟିର ସ୍ଥାନାନ୍ତରଣ, ଷ୍ଟ୍ରିଟ୍ ଲାଇଟ୍ ଓ ଲ୍ୟାମ୍ପ ପୋଷ୍ଟ ସ୍ଥାପନ, ୱାଟକୋ ପକ୍ଷରୁ ପାଇପ୍ଲାଇନ୍ର ନିୟମିତ ରକ୍ଷାବେକ୍ଷଣ ଓ ସୁରକ୍ଷା, ଆପାତକାଳୀନ ମରାମତି ପାଇଁ ଅତିରିକ୍ତ ପାଇପ୍ଲାଇନ୍ ବ୍ୟବସ୍ଥା, ଜରୁରୀ ସମୟରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ଆଇଜର୍ କ୍ୟାମ୍ପସ୍ ନିକଟରେ ଏକ ସ୍ଥାୟୀ ପୋଲିସ୍ ଆଉଟପୋଷ୍ଟ ସ୍ଥାପନ, ଆଉଟପୋଷ୍ଟ ସ୍ଥାପନ ହେଲା ପର୍ଯ୍ୟନ୍ତ ନିୟମିତ ପୋଲିସ୍ ପ୍ୟାଟ୍ରୋଲିଂ, ଆଇଜର କ୍ୟାମ୍ପସ୍ ଚାରିପାଖରେ ଥିବା ସମୁଦ୍ରତଟ ଅଞ୍ଚଳକୁ ସଫାସୁତୁରା ରଖିବା ସହିତ ତାର ବିକାଶ କରିବା ଆଦି ସମସ୍ତ ବିଷୟରେ ସମୀକ୍ଷା କରାଯାଇଥିଲା ।
ସାରା ଭାରତରେ ଥିବା ମୋଟ ୭ ଟି ଆଇଜର ମଧ୍ୟରେ ବ୍ରହ୍ମପୁର ଆଇଜର ଅନ୍ୟତମ। ସାରା ଭାରତ ବର୍ଷର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି । ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଭାରତର ଭବିଷ୍ୟତ ନିର୍ମାଣ କରୁଥିବା ଆଇଜର ଭଳି ଜାତୀୟ ସଂସ୍ଥାର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଓ ସଠିକ ସମନ୍ୱୟ ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।
ଏହି ବୈଠକରେ ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ ଗାଙ୍ଗୁଲି, ରେଜିଷ୍ଟାର ପି କେ ରାୟ, ଅଧିକ୍ଷଣ ଯନ୍ତ୍ରୀ ଇଂ ଜଗନ୍ନାଥ ପାତ୍ର, ଇଂ ସଞ୍ଜୟ ମାଝୀ, ଡେପୁଟି ରେଜିଷ୍ଟାର ଶକ୍ତି ରଞ୍ଜନ ପାତ୍ର, ପ୍ରଫେସର ପି ମଣ୍ଡଳ, ଡ଼ଃ ବୋଧିସତ୍ୱ ନନ୍ଦୀ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
