(କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ଜଙ୍ଗଲରେ ଲାଗିଲା ନିଆଁ, ଜଳି ଗଲାଣି ବହୁ ମୂଲ୍ୟ ଗଛଲତା ଜୀବଜନ୍ତୁ, ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ।
କୋକସରା,୭/୩( ମନିସ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅନ୍ତର୍ଗତ ବେହେରା ଏବଂ ଆମପାଣି ଫରେଷ୍ଟ ସେକ୍ସନ ରେ ଥିବା ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ କିଛି ଦିନ ହେବ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ଦେଖା ଦେଇଛି। ଯାହା ଫଳରେ ବହୁ ମୂଲ୍ୟ ଗଛ ଲତା ଓ ଜୀବଜନ୍ତୁ ସବୁ ବହୁ ସଂଖ୍ୟାରେ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଗାଁ ମୁହାଁ ହୋଇ ଅନେକ ଫସଲ କ୍ଷୟ କ୍ଷତି କରୁଛି।ତେବେ ଗୁରୁବାର ଦିନ ଏହି ନିଆଁଟି ଉଗ୍ର ରୂପ ଧାରଣ କରି ଧିରେ ଧିରେ ଜଙ୍ଗଲର ପାଦ ଦେଶରେ ଥିବା ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ରେ ଥିବା ତେଲିଗୁଡ଼ା ପାହାଡି ଇଲାକାରେ ନିଆଁ ଲାଗି ଗ୍ରାମରେ ଥିବା ଦେବେନ୍ଦ୍ର ମାଝୀଙ୍କ ଘର ବାଡ଼ି ପର୍ଯ୍ୟନ୍ତ ନିଆଁ ଲାଗିଥିଲା। ଫଳରେ ତାଙ୍କ ଚାଷ ଜମିରେ ଥିବା ଅର୍ଥକାରୀ ଫସଲ ଓ ବଗିଚାରେ ଚାଷ କରିଥିବା ପନିପରିବା ସମେତ ବହୁ ମୂଲ୍ୟ ଫଳନ୍ତି ବୃକ୍ଷ ସବୁ ନଷ୍ଟ ହୋଇଥିବା ଦେଖା ଯାଇଛି। ପ୍ରଥମେ ପରିବାର ଲୋକେ ନିଆଁ ଲିଭାଇବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ନିଆଁ ଅଣାୟତ ହେବାରୁ ଆମପାଣି ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲା। ତେବେ ବନ ବିଭାଗ ନଆସିବାରୁ ପରିବାର ଲୋକେ କୋକସରା ଦମକଳ ବାହିନୀ କୁ ଯୋଗାଯୋଗ କରିଥିଲେ।ଖବର ପାଇ ଦମକଳ ବାହୀନି କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଆରମ୍ଭ କରିଥିଲେ। ଦମକଳ ବାହୀନି ଦୀର୍ଘ ତିନି ଚାରି ଘଣ୍ଟା ଧରି ନିଆଁ ଲିଭାଇଲା ପରେ ନିଆଁ ଆୟତ ହୋଇଥିଲା। ତେବେ ହଟାତ ନିଆଁ ଲାଗି ଯିବାରୁ ପରିବାର ଲୋକେ ଭୟଭୀତ ହୋଇ ଏଣେ ତେଣେ ଦୌଡ଼ି ପଳାଇଥିଲେ। ଯଦି ସଠିକ ସମୟରେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନଥାନ୍ତା ତେବେ ଦେବେନ୍ଦ୍ର ମାଝୀଙ୍କ ଘର ଦ୍ଵାର ସହିତ ପରିବାର ଲୋକେ ନିଆଁର ଶିକାର ହୋଇଥାନ୍ତେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଆଗରେ ଅନୁରୋଧ କରିଛନ୍ତି।ତେବେ ଆମପାଣି ବନ ବିଭାଗ ପକ୍ଷରୁ ନିଆଁ ନିୟନ୍ତ୍ରଣ ସ୍ଵତନ୍ତ୍ର ଭାବେ ସ୍କୁୱାର୍ଡ଼ ନିଯୁକ୍ତ କରାଯାଇଛି। ସ୍ଥାନୀୟ ଲୋକେ ବନ ବିଭାଗକୁ ନିଆଁ ନିୟନ୍ତ୍ରଣ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ତେବେ ବନ ବିଭାଗ ଯତ୍ନବାନ ହେଉନଥିବା ଅଭିଯୋଗ ହେଉଛି। ଫଳ ସ୍ୱରୂପ ସଂରକ୍ଷିତ ଜଙ୍ଗଲରେ ଥିବା ବହୁ ମୂଲ୍ୟ ଗଛଲତା ଜୀବଜନ୍ତୁ ତଥା ଔଷଧୀୟ ଚେର ମୂଳ ସବୁ ନଷ୍ଟ ହୋଇ ଯାଇଛି। ଆମପାଣି ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ଆଜି ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହିତ ଦିନକୁ ଦିନ ଜଙ୍ଗଲରେ ନିଆଁ ବୃଦ୍ଧି ପାଉଥିବା ପ୍ରକାଶ ପାଇଛି। ଅନେକ ସମୟରେ ସନ୍ଧ୍ୟା ହେଲେ ଲୋକଙ୍କୁ ଜଙ୍ଗଲ ଜଳୁଥିବା ଦୃଶ୍ୟ ଜଳ ଜଳ ହୋଇ ଦେଖିବାକୁ ମିଳିଥାଏ।ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ହେତୁ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ଆଜି ଲୋପ ପାଇ ନଣ୍ଡା ଟାଙ୍ଗରା ରୂପ ଧାରଣ କଲାଣି । ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନହେଲେ ଚଳିତ ଗ୍ରୀଷ୍ମ ଋତୁରେ ଲୋକେ ପ୍ରବଳ ଗ୍ରୀଷ୍ମ ଝାଞ୍ଜି ପବନ ସହିତ ଅଂଶୁଘାତ ଭଳି ମାରାତ୍ମକ ରୋଗର ଶିକାର ହେବା ଆଶଙ୍କା କରାଯାଉଛି।
