ବିବାହ ବାର୍ଷିକୀରେ ଦମ୍ପତ୍ତିଙ୍କ ଅଙ୍ଗଦାନ ଘୋଷଣା
ରକ୍ତଦାନ ସହିତ ପାଳନ କଲେ ବିବାହବାର୍ଷିକୀ
ଭବାନୀପାଟଣା,(କିଶନ ଶର୍ମା)-୨୫/୦୨-ଜନ୍ମଦିନ, ବିବାହ ବାର୍ଷିକୀ ଆଦି ଜୀବନର ସ୍ୱତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ, ସ୍ମୃତି ସଜଳ କରିବାକୁ ଅନେକ ପଦକ୍ଷେପ ନିଅନ୍ତି ଲୋକେ। ତେବେ ନିଜର ୧୫ଦଶ ତମ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏକ ଦମ୍ପତ୍ତି ନେଇଛନ୍ତି ନିଆରା ପଦକ୍ଷେପ। ଭବାନୀପାଟଣା ସହରର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ତ୍ରିଲୋଚନ ପାଣିଗ୍ରାହୀ। ତାଙ୍କ ପତ୍ନୀ ଗୀତାଞ୍ଜଳି ପାଣିଗ୍ରାହୀ। ରାଜନୀତି ସହିତ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ପାଣିଗ୍ରାହୀ ଦମ୍ପତ୍ତି ଆଜି ନିଜର ଅଙ୍ଗଦାନ କରିବାକୁ ଘୋଷଣା କରିବା ସହିତ ଏଥିପାଇଁ ଉଦ୍ଦିଷ୍ଟ ଶପଥପତ୍ରରେ ସ୍ଵାକ୍ଷର କରିଛନ୍ତି। ନିଜର ସ୍ୱାଭାବିକ ମୃତ୍ୟୁ ପରେ ଉଭୟ ପତିପତ୍ନୀ ନିଜ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏ ଦିଗରେ ଉଭୟ ପତିପତ୍ନୀଙ୍କୁ କନ୍ଦର୍ପ ହଂସ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ଓ ସମାଜସେବୀ ବଳଦେବ ଭୋଇ ମାର୍ଗଦର୍ଶନ କରିଥିବା ଜଣାଯାଏ। ତେବେ ସେତିକି ନୁହେଁ ଆଜି ସନ୍ଧ୍ୟାରେ ଉଭୟ ପତିପତ୍ନୀ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତଭଣ୍ଡାରରେ ସ୍ବେଛାକୃତ ଭାବେ ରକ୍ତଦାନ କରି ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି। ପାଣିଗ୍ରାହୀ ଦମ୍ପତ୍ତିଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବାବେଳେ ଅଙ୍ଗ ଓ ଶରୀର ଦାନ କ୍ଷେତ୍ରରେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ମତ ପ୍ରକାଶ ପାଇଛି। ଆଜି ଉଭୟଙ୍କ ରକ୍ତଦାନ ସମୟରେ ଦଳିତ ଆଦିବାସୀ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ଚାଷୀ ନେତା ସାମନ୍ତ ଖମାରୀ, ଜନମମାଟି ସୁରକ୍ଷା ସମିତିର ଗିରିଧାରୀଙ୍କ ସହିତ ବଡ଼ଭଉଣୀ ଛବିତା ସାହୁ, ସମ୍ପର୍କୀୟ ସୌମ୍ୟରଞ୍ଜନ ସାହୁ, ତାଙ୍କ ପୁଅ ବିପ୍ଳବ ପ୍ରତାପ ପାଣିଗ୍ରାହୀ, ରୁଦ୍ରପ୍ରତାପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
