ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଅବସର ନେଲେ ହରେକୃଷ୍ଣ ସାହୁ । ରଘୁନାଥପୁର(ନି.ପ୍ର): ଦୀର୍ଘ ୪୦ ବର୍ଷ ଧରି ରଘୁନାଥପୁର ବ୍ଲକ ଗୋକଳପୁର ସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ସେବା ଯୋଗାଇଦେଇ ଆସିଥିବା ଶିକ୍ଷା କର୍ମଚାରୀ ହରେକୃଷ୍ଣ ସାହୁ କାର୍ଯ୍ୟରୁ ଅବସର ନେଇଛନ୍ତି।କାର୍ଯ୍ୟର ଶେଷ ଦିବସରେ ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ହରିଭାଇଙ୍କ ସାହାଯ୍ୟ, ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସଭାରେ ପ୍ରଧାନ ଶିକ୍ଷକ ବିଶ୍ୱଜିତ ଓଝା ପୌରହିତ୍ୟ କରିଥିବା ବେଳେ ଏଥିରେ ବିରିଡି ଶିକ୍ଷା ମଣ୍ଡଳର ପ୍ରାକ୍ତନ ବିଇଓ ତଥା ଏହି ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକମାନଙ୍କ ପ୍ରୀୟଭାଜନ ହୋଇପାରିଥିବା ଶ୍ରୀ ସାହୁଙ୍କ ନିରାମୟ ଜୀବନ କାମନା କରିଥିଲେ। ରଘୁନାଥପୁର ମଣ୍ଡଳର ପ୍ରାକ୍ତନ ବିଇଓ ବିଜୟ କୁମାର ସ୍ବାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ସାହୁଙ୍କ କର୍ମତତ୍ପରତା ଓ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତାକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିକିଣିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ପୂରଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅଳ୍ପନା ନାୟକ, ରେଢୁଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରିତା ରାଉତ, ଶିକ୍ଷାବିତ ଅମୂଲ୍ୟ ଚନ୍ଦ୍ର ଦାସ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବିନୋଦ ବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ ଅବସର ନେବା ଏକ ସରକାରୀ ପ୍ରଥା କିନ୍ତୁ ଏହି ସ୍କୁଲ ପ୍ରତି ସର୍ବଦା ମୋର ଆଶୀର୍ବାଦ ଥିବ ଓ ସମସ୍ତ କାର୍ଯ୍ୟରେ ମୋର ସହଯୋଗ ରହିଥିବ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ପୁରାତନ ଛାତ୍ରଙ୍କ ପକ୍ଷରୁ ଶ୍ରୀ ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ସୁଜିତ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମୌସୁମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର,ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷା କର୍ମଚାରୀ,ପରିଚାଳନା କମିଟି ସଦସ୍ୟ ଓ ଅବିଭାବକ ମାନେ ସାମୁହିକ ଭାବେ ଶ୍ରୀ ସାହୁଙ୍କୁ ତାଙ୍କ ବାସଭବନକୁ ପାଛୋଟି ନେଇଥିଲେ।
