ସ୍ପାସ୍ର ପକ୍ଷରୁ ନାନୋମାଟେରିଆଲ୍ସ ଏବଂ ନାନୋଫୋଟୋନିକ୍ସ ଉପରେ ଅନ୍ତର୍ଜାତୀୟ କର୍ମଶାଳା
ବ୍ରହ୍ମପୁର ୨୬/୨/୨୬ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଜର) ବ୍ରହ୍ମପୁରରେ ଦୁଇ ଦିନଆ ନାନୋମାଟେରିଆଲ୍ସ ଏବଂ ନାନୋଫୋଟୋନିକ୍ସ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କର୍ମଶାଳାରେ ଭାରତ ତଥା ବିଦେଶର ଅଗ୍ରଣୀ ଗବେଷକ ମାନଙ୍କୁ ଏକତ୍ରିତ କରି ନାନୋବିଜ୍ଞାନ, ନାନୋମାଟେରିଆଲ୍ସ, ନାନୋଫୋଟୋନିକ୍ସ ଓ ସମ୍ବନ୍ଧିତ ଅନୁଶାସନ ମୂଳକ ପ୍ରଯୁକ୍ତି ବିଷୟରେ ନୂତନ ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ଏହି କର୍ମଶାଳା ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଏବଂ ଗବେଷଣା ସହଯୋଗ ପ୍ରୋତ୍ସାହନ ଯୋଜନା ଅଧୀନରେ ଆୟୋଜିତ ହୋଇଥିଲା l ଏବଂ ଏହା ନାନୋମାଟେରିଆଲ୍ସ ଏବଂ ନାନୋଫୋଟୋନିକ୍ସରେ ଆଗଧାଡ଼ିର ଗବେଷଣା ପାଇଁ ଛାତ୍ର ଏବଂ ଯୁବ ଗବେଷକଙ୍କ ବୈଜ୍ଞାନିକ ଆଦାନପ୍ରଦାନ, ସହଯୋଗ ଏବଂ ପ୍ରକାଶନ ପାଇଁ ଏକ ଉଚ୍ଚସ୍ତରୀୟ ଶୈକ୍ଷିକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ବଫାଲୋ ବିଶ୍ୱବିଦ୍ୟାଳୟ (ଆମେରିକା), କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ (ୟୁକେ), ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଏନଆଇଏସଇଆର ଭୁବନେଶ୍ୱର, ଇନଷ୍ଟେମ୍ ବେଙ୍ଗାଲୁରୁ ଏବଂ ଆଇଆଇଏସଇଆର ବ୍ରହ୍ମପୁରଙ୍କ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ର, ଛାତ୍ରୀ ,ଗବେଷକ,ଗବେଷିକା ଅଂଶ ଗ୍ରହଣ କରିଥିଲେ l ବଫାଲୋ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ପ୍ରଫେସର ପାରସ ଏନ. ପ୍ରସାଦଙ୍କ ଦ୍ୱାରା “ଫୋଟୋନିକ୍ସ ଏବଂ ବାୟୋଟେକ୍ନୋଲୋଜି ପାଇଁ ଏଆଇ ଏବଂ ମଡେଲିଂ ଗାଇଡେଡ୍ ମଲ୍ଟିଫଙ୍କସନ୍ ମ୍ୟାଟେରିଆଲ୍ସ” ଉପରେ ସ୍ୱତନ୍ତ୍ର ବକୃତା ହୋଇଥିଲା। ବ୍ରହ୍ମପୁର ଆଇଜର ନିର୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ଉଲେଖ ଯେ ଏହି କାର୍ଯ୍ୟଶାଳା ଓଡ଼ିଶା ଓ ପାଶ୍ୱର୍ତ୍ତୀୟ ଅଞ୍ଚଳର ଛାତ୍ରଛାତ୍ରୀ, ଗବେଷଣାର୍ଥୀ ଓ ଅଧ୍ୟାପକମାନଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ସିଦ୍ଧ ହେବ। ସେ କହିଥିଲେ ଯେ, ଏପରି ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଗବେଷଣା ଓ ଶିକ୍ଷାର ମାନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି କହିଛନ୍ତି l
