ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :ଅଦ୍ୟ ତା. 20.2.2026 ରିଖ (ଶୁକ୍ରବାର) ଦିନ ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଭୁତିୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ବ୍ୟ।।ପକ ଆଲୋଚନା ହୋଇଥିଲା । ଗତବର୍ଷ ଜିଲାରେ ତାପମାତ୍ରା ରାଜ୍ୟର ସର୍ବାଧିକ ରେକର୍ଡ କରାଯାଇଥିବାବେଳେ ଚଳିତବର୍ଷ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମକୁ ଏକ ପାଇଲଟ ପ୍ରେଜେକ୍ଟ ଭାବରେ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀନାଏକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ବୃଦ୍ଧି ପାଉଥିବା ତାପମାତ୍ରା ରିପୋର୍ଟ ପ୍ରତିଦିନ ରେକର୍ଡ କରିବା ସହିତ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଜିଲା ଜରୂରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାର୍ଚ୍ଚ ରୁ ଜୁନ ମାସ ପର୍ଯ୍ୟନ୍ତ ଜିଲାରେ ସମସ୍ତେ ଅଂଶୁଘାତର ମୁକାବିଲା ପାଇଁ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ, ଲିକ୍ୟୁଇଡ ଓ ଥଣ୍ଡା ପାନୀୟଜଳ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରମିକମାନଙ୍କ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ସକାଳ ୧୧ଟାରୁ ଅପରାହ୍ନ ସାଢେ ତିନିଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ଅଂଶୁଘାତ ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ପାନୀୟଜଳ ସଙ୍କଟ ଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା, ଗ୍ରୀଷ୍ମପ୍ରବାହକୁ ଦେଖି ଶିକ୍ଷାନୁଷ୍ଠାନଗୁଡିକର ସମୟ ପରିବର୍ତନ କରିବା,ଯାନବାହାନରେ ଯାତ୍ରୀ ପରିବହନ ସମୟ ପରିର୍ବତନ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକସ୍ଥଳେ ଜିଲ୍ଲାର ଏନଏସି ଏବଂ ବ୍ଲକ ଗୁଡିକର ଜନଗହଳିସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱେଛାସେବୀ ଓ ପଞ୍ଚାୟତରାଜ ସଦସ୍ୟମାନଙ୍କୁ ସାମିଲ କରି ଅଂଶୁଘାତର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତିଗ୍ରହଣ କରାଯାଇଥିଲା । ଗ୍ରୀଷ୍ମଦିନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପଶୁ ପକ୍ଷୀମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଆଗାମୀ ଗ୍ରୀଷ୍ମରେ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସତର୍କ ଓ ସଚେତନ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ,ଶ୍ରମ ବିଭାଗ,ଜିଲା ସାମାଜିକ ସୁରକ୍ଷା ବିଭାଗ,ଜଙ୍ଗଲ ବିଭାଗ,ପାନୀୟଜଳ ବିଭାଗ ନିଜ ନିଜ ଦାୟିତ୍ୱ ଠିକ୍ ଭାବରେ ପରିଚାଳନା କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପଜିଲାପାଳ ବିନୟ କୁମାର ଭୋଇ,ଡିଏସପି ଏ.କେ.ଡୁଙ୍ଗଡୁଙ୍ଗ, ଡିପିଏଚଓ ଡା. ମହେନ୍ଦ୍ର କୁମାର ସାହୁ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଡେପୁଟି କଲେକ୍ଟର ଜ୍ୟୋତି ରଂଜନ ଭୁଏ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପଜିଲାପାଳ ଶ୍ରୀଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକକୁ ବିପର୍ଯ୍ୟୟ ପରିଚାଳନାର ଜିଲା ପ୍ରକଳ୍ପ ସଂଯୋଜକ ସଂଜୟ କୁମାର ଝା ପରିଚାଳନା କରିଥିଲେ ।
