ବାଲେଶ୍ୱର ବିଜେଡ଼ିରେ ଶୀତଳ ଝଡ଼ ! ବ୍ଲକ ସ୍ତରରେ ସଭାପତି ଚୟନ ହୋଇଥିବା ବେଳେ, ଜିଲ୍ଲା ସଭାପତି ଚୟନ ଏବେବି ଅସ୍ପଷ୍ଟ !
ବାଲେଶ୍ୱର ବିଜେଡ଼ିର ନେତୃତ୍ୱକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଦୀର୍ଘ ଦିନ ଧରି ବେଶ ଛକାପଞ୍ଝା ଜାରି ରହିଥିବା ବେଳେ, ଏବେ ବିନା ଜିଲ୍ଲା ସଭାପତିରେ ବ୍ଲକ, ମ୍ୟୁନିସିପାଲିଟି, ଏନ ଏ ସି, ଟାଉନ, ସଦର ପାଇଁ ସଭାପତି ମନୋନୀତ ହୋଇଛନ୍ତି। ତେବେ ଏହି ଚିଠା ଘୋଷଣା ପରେ ଜିଲ୍ଲା ବିଜେଡ଼ିର ଗୋଟିଏ ଗୋଷ୍ଠୀ ବେଶ ଖୁସି ରହିଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀର ନେତା କର୍ମୀ ମାନଙ୍କୁ ନୀରବ ରହିଥିବା ଲକ୍ଷ୍ୟ କରାଯାଉଛି। ତେବେ ଯାହା ଶୁଣିବାକୁ ମିଳୁଛି ସିମୁଳିଆ, ନୀଳଗିରି, ରେମୁଣା, ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପଲା ଭାରି ରହିଥିବା ବେଳେ, ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ଖାଲି ସେତିକି ନୁହେଁ, ଯାହା ଶୁଣିବାକୁ ମିଳୁଛି ଆଗକୁ ରହିଥିବା ପଞ୍ଚାୟତ, ପୌରପାଳିକା ତଥା ଏନ ଏ ସି ନିର୍ବାଚନରେ ବାଲେଶ୍ଵର ଜିଲ୍ଲାରେ ଏହି ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଶୀତଳ ଝଡର ବେଶ ପ୍ରଭାବ ଦେଖିବାକୁ ମିଳିବା କଥାକୁ ଏଡ଼ାଇ ଦିଆଯାଇ ନପାରେ।
