ଯାଜପୁର ସହର ଦେବିଗଡାରେ ବୈତରଣୀ ବାଲି ଲୁଟ୍ ମହାକାଣ୍ଡ!
ରାତି ୧୨ ପରେ ଚାଲୁଛି ‘ବାଲି ଅପରେସନ’ ନିଦ ହଜି ଯାଉଛି,ସ୍ଥାନୀୟ ଲୋକଙ୍କର
ଟ୍ରାକ୍ଟର-ଡମ୍ପରର ଶବ୍ଦ, ଧୁଳି ଓ ଭୟରେ ରାତି କାଟୁଛନ୍ତି ପରିବାର…
ଯାଜପୁର, ୧୯/୨ (ଭଞ୍ଜଦୂତ ;ନିପ୍ର)ସରୋଜ କୁମାର ଧଳ
ଯାଜପୁର ସହର ଦେବିଗଡା ଘାଟ ଅଞ୍ଚଳରେ ବୈତରଣୀ ନଦୀ ଉପରେ ଚାଲିଥିବା କଥିତ ବେଆଇନ ବାଲି ଉତ୍ତୋଳନ କାର୍ଯ୍ୟକଳାପ ଏବେ ବଡ଼ ମାପର ଦୁର୍ନୀତି ଓ ପ୍ରଭାବଶାଳୀ ମାଫିଆ ଚକ୍ରର ସନ୍ଦେହକୁ ଆହୁରି ଗାଢ଼ କରିଦେଇଛି। ଅଭିଯୋଗ ଅନୁଯାୟୀ, ଅଧରାତି ହେଲେ ଆରମ୍ଭ ହୁଏ ବାଲି ଉଠାଣ ଅଭିଯାନ। ଟ୍ରାକ୍ଟର, ଡମ୍ପର ଓ ହାଇଭା ଶତାଧିକ ଟ୍ରିପ୍ରେ ବାଲି ନେଇ ବାହାରୁଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଶ୍ୟମାନ କଠୋର ପଦକ୍ଷେପ ନଥିବାରୁ ସନ୍ଦେହ ଉଠୁଛି — ଏହା ପଛରେ କି ପ୍ରଭାବଶାଳୀ ରାଜନୈତିକ ଛତା ରହିଛି?
ରାତିରେ ବିକଟାଳ ଶବ୍ଦରେ ଅସ୍ଥିର ଜୀବନ ହେଉଛି।
ଘାଟ ନିକଟର ରାସ୍ତାପାଖ ଘରରେ ରହୁଥିବା ଲୋକମାନେ କହୁଛନ୍ତି, ରାତି ୧୨ ପରେ ଭାରି ଯାନର ଯାତାୟାତ ଆରମ୍ଭ ହୁଏ। ଟ୍ରାକ୍ଟର-ଡମ୍ପରର ବିକଟାଳ ଶବ୍ଦ, ଧୁଳି ପ୍ରଦୂଷଣ ଓ ନିରନ୍ତର ଗାଡ଼ି ଚଳାଚଳ ଯୋଗୁଁ ପରିବାର ଲୋକମାନେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। ବୃଦ୍ଧ ଓ ଶିଶୁମାନଙ୍କ ନିଦ ଭଙ୍ଗ ହେଉଥିବା ସହ କେତେବେଳେ ଦୁର୍ଘଟଣା ହେବ ନାହିଁ କି — ଏହି ଆତଙ୍କ ମଧ୍ୟ ବଢ଼ିଛି। ନଦୀ ମଧ୍ୟରେ ଗଢା ବ୍ୟାରେଜ ଓ ସେତୁ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ପୋକ୍ଲିନ ମେସିନ୍ ଲଗାଇ ନଦୀ ମଧ୍ୟଭାଗରୁ ଅନିୟନ୍ତ୍ରିତ ବାଲି ଉଠାଯାଉଥିବାରୁ ଅପ୍ରାକୃତିକ ଗଢା ସୃଷ୍ଟି ହୋଇଛି। ପାଖରେ ଥିବା ସପ୍ତମାତୃକା ବ୍ୟାରେଜ ପ୍ରତି ବିପଦ ସୃଷ୍ଟି ହେବା ନେଇ ଭୟ ବଢ଼ିଛି। ଏହାସହ ଘାଟ ନିକଟରେ ଅବସ୍ଥିତ ବଲ୍ଲଭିଘାଟ ସେତୁ ମଧ୍ୟ ବିପଦରେ ପଡ଼ିପାରେ ବୋଲି ଚର୍ଚ୍ଚା ଚାଲିଛି।ଶାସକ ଦଳ ନେତାଙ୍କ ନାଁରେ ଚର୍ଚ୍ଚା“ମାସିକିଆ ବରାଦି” ରହସ୍ୟ ସୃଷ୍ଟି କରିଛି।ସ୍ଥାନୀୟ ମହଲରେ ସବୁଠାରୁ ଚର୍ଚ୍ଚିତ ଅଭିଯୋଗ — ଏହି ବେଆଇନ ବାଲି କାରବାର ପଛରେ ଶାସକ ଦଳର ନିର୍ବାଚନ ମଣ୍ଡଳୀ ସ୍ତରର ଏକ ପ୍ରଭାବଶାଳୀ ନେତାଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି। “ମାସିକିଆ ବରାଦି” ଟଙ୍କା ଦେଇ ବେଧଡକ ଚୋରା ଚାଲାଣ ଚାଲୁଥିବା ନେଇ ଗୁପ୍ତ ଚର୍ଚ୍ଚା ଜୋରଦାର। ଜିଲ୍ଲା ବାହାର ସହ ପଡ଼ୋଶୀ ରାଜ୍ୟକୁ ମଧ୍ୟ ବାଲି ପଠାଯାଉଥିବା ଅଭିଯୋଗ ଆସୁଛି।ସହରରେ ବାଲି ଦର ଆକାଶଛୁଆଁ ଥିବାବେଳେ ସାଧାରଣ ଲୋକ ଭୋଗୁଛନ୍ତି ଯନ୍ତ୍ରଣା।ଏହି ଅବୈଧ କାରବାରର ପ୍ରଭାବ ସିଧାସଳଖ ଯାଜପୁର ସହରରେ ପଡ଼ୁଛି। ଘର ନିର୍ମାଣ ପାଇଁ ସାଧାରଣ ଲୋକ ଏକ ଟ୍ରାକ୍ଟର ବାଲି ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କିଣୁଥିବାରୁ ଅସନ୍ତୋଷ ବଢ଼ିଛି। ଫଳରେ ସରକାରଙ୍କ ଛବି ମଧ୍ୟ ପ୍ରଶ୍ନରେ ପଡ଼ୁଛି ବୋଲି ଚର୍ଚ୍ଚା।ପୂର୍ବରୁ ଚଢ଼ାଉ, ପୁଣି ପୁରୁଣା ଅବସ୍ଥା ଲୋକଙ୍କ ରୋଷ
ପୂର୍ବରୁ କେତେବେଳେ ଅସ୍ଥାୟୀ ଚଢ଼ାଉ ହେଲେ ମଧ୍ୟ ପୁନର୍ବାର ପୁରୁଣା ଭାବେ କାରବାର ଚାଲୁଥିବା ଅଭିଯୋଗ ଆସୁଛି। ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସଙ୍କ ଯୁକ୍ତ ଅଭିଯାନ ଦାବି ଜୋରଦାର ହୋଇଛି। ସାଧାରଣ ଲୋକଙ୍କ ପ୍ରଶ୍ନକାହାର ଛତାଛାୟାରେ ଚାଲିଛି ବେଆଇନ ବାଲି ଉଠାଣ,ଶାସକ ଦଳ ନେତାଙ୍କ ନାଁ ଉଠୁଥିବା ସତ୍ତ୍ୱେ କାହିଁକି ନିରବ ପ୍ରଶାସନ ନିରବ ରହିଛି।ପରିବେଶ ଓ ଲୋକଜୀବନର କ୍ଷତିର ଦାୟିତ୍ୱ କିଏ ନେବ ତାହା ପ୍ରଶ୍ନବାଚୀ।
