ଅନନ୍ତପୁର ପଞ୍ଚାୟତ ଦୋକାନ ଗୃହରୁ ହଟିବ ଜବରଦଖଲ
ସୋର,୧୮/୨(ଇମିସ): ସୋର ବ୍ଳକ ଅନନ୍ତପୁର ପଞ୍ଚାୟତ ଅନନ୍ତପୁର ବଜାରରେ ଥିବା ପଞ୍ଚାୟତ ଦୋକାନ ଗୃହକୁ ଦିର୍ଘଦିନ ଧରି ଜବରଦଖଲ କରାଯାଇଥିଲା। ଫଳରେ ପଞ୍ଚାୟତ ନିଜର ରାଜସ୍ୱ ହରାଉଥିବା ନେଇ ଅଭିଯୋଗ ହେବା ପରେ ଏବେ ଏହି ଜବରଦଖଲ ଉଚ୍ଛେଦ ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଅନୁସୁଚିତ ଜାତିର ଲୋକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ଗତ ୨୦୦୬ ମସିହାରେ ଜିଲ୍ଲାପରିଷଦ ଓ ସମିତି ସଭ୍ୟଙ୍କ ଅନୁଦାନ ପାଣ୍ଠିରୁ ଅନନ୍ତପୁର ବଜାରରେ ୮ଗୋଟି ଦୋକନ ଗୃହ ନିର୍ମାଣ କରାଯାଇଥିଲା। ମାତ୍ର ଦିର୍ଘଦିନ ପର୍ଯ୍ୟନ୍ତ ଏହି ଦୋକନ ଗୃହକୁ ବଣ୍ଟନ କରାନଯିବାରୁ କିଛି ଲୋକ ଏହାକୁ ଜବରଦଖଲ କରି ବ୍ୟବସାୟ ଆରମ୍ଭ କରିଥିଲେ। ଫଳରେ ଦିର୍ଘ ୨୦ ବର୍ଷରୁ ଅଧିକ ଦିନ ଧରି ପଞ୍ଚାୟତ ନିଜର ରାଜସ୍ୱ ହରାଇଥିଲେ। ଏହି ଦୋକାନ ଗୃହରୁ ଜବରଦଖଲ ଉଚ୍ଛେଦ କରିବାକୁ ଗତ ୨୦୨୫ ମସିହା ନଭେମ୍ବର ମାସ ୩୦ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନନ୍ତପୁରରରେ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ କିଛି ଅନୁସୁଚିତ ଶ୍ରେଣୀର ଲୋକେ ଅଭିଯୋଗ କରିଥିଲେ। ଫଳରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଗତକାଲି ସୋର ତହସିଲଦାର ଦୈତାରୀ ମଲିକଙ୍କ କୋର୍ଟ ପରିସରରେ ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସଙ୍କ ସମେତ ଅଭିଯୋଗ କାରୀ , ଜବରଦଖଲ କାରୀ ,ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଆଗାମୀ ୨୬ ତାରିଖ ପୂର୍ବରୁ ନିଜ ପକ୍ଷରୁ ଦୋକାନ ଗୃହକୁ ଖାଲି କରିବାକୁ କୁହାଯାଇଥିଲା। ଏଥିରେ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପରେ ବିଡିଓଙ୍କ ହସ୍ତକ୍ଷେପରେ ଦୋକାନ ଗୃହକୁ ସରକାରୀ ନିୟମ ଅନୁସାରେ ଅନୁସୂଚିତ ଜାତିର ଲୋକମାନଙ୍କୁ ବଣ୍ଟନ କରାଯିବ ବୋଲି ତହସିଲଦାର ଶ୍ରୀ ମଲିକ କହିଛନ୍ତି।
