ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆଦିବାସୀ ସାହିତ୍ୟ, ସ୍ୱଦେଶୀ ଜ୍ଞାନ ପ୍ରଣାଳୀ ଓ ସାଂସ୍କୃତିକ ସ୍ମୃତି ବିଷୟରେ ଜାତୀୟ ସମ୍ମିଳନୀ
ଆଦିବାସୀ ଜ୍ଞାନ ପରମ୍ପରା ସ୍ଥାୟୀ ଭବିଷ୍ୟତର ପଥ ପ୍ରଦର୍ଶନ କରେ: ବିଶେଷଜ୍ଞମାନେ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୧୩–୧୪ ଫେବୃଆରୀ ୨୦୨୬ ତାରିଖରେ “Voices from the Hills: Tribal Literature, Indigenous Knowledge Systems, and Cultural Memory – A Multidisciplinary Perspective” ଶୀର୍ଷକରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରଖ୍ୟାତ ଶିକ୍ଷାବିଦ୍, ଲେଖକ ଓ ଗବେଷକମାନେ ଆଦିବାସୀ ସମୁଦାୟଙ୍କ ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ସ୍ମୃତିର ସୁରକ୍ଷା ନେଇ ଏହି ସମ୍ମିଳନୀରେ ଆଲୋଚନା ଓ ବିମର୍ଶ କରିଥିଲେ।
ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା National Monuments Authorityର ପୂର୍ବତନ ଅଧ୍ୟକ୍ଷ ଭାବେ ପ୍ରସିଦ୍ଧ ନୃତତ୍ତ୍ୱବିଦ୍ ପ୍ରଫେସର କିଶୋର କୁମାର ବାସା ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ଦେଇଥିଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାନନୀୟ ସଦସ୍ୟ ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି। ବିଶେଷ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ଆଦିବାସୀ ସାହିତ୍ୟିକା ଡା. ଦମୟନ୍ତୀ ବେଶ୍ରା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କୁଳସଚିବ ରାକେଶ କୁମାର ଲେଙ୍କା ଓ ଅର୍ଥ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ ଉପସ୍ଥିତ ଥିଲେ। ସମ୍ମେଳନୀର ସଂଯୋଜିକା ଥିଲେ ଇଂରାଜୀ ବିଭାଗମୁଖ୍ୟ ଡା. ନିର୍ଝରିଣୀ ତ୍ରିପାଠୀ।
ସଭାପତିତ୍ଵ ଅଭିଭାଷଣରେ ପ୍ରଫେସର ପଣ୍ଡା କହିଥିଲେ ଯେ ଆଦିବାସୀ ସଂସ୍କୃତି ଭାରତର ସଂଯୁକ୍ତ ଜାତୀୟ ପରିଚୟ ଗଠନରେ ମୁଖ୍ୟ ଭୂମିକା ନିଭାଉଛି। “ଆଦିବାସୀ ସଂସ୍କୃତି ପରିଧିରେ ନୁହେଁ, ଏହା ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ,” ବୋଲି ସେ କହିଥିଲେ। ସେ ଆହ୍ୱାନ କରିଥିଲେ ଯେ ବାହ୍ୟ ସଂସ୍କୃତିକୁ ନଦିଦେବା ନୁହେଁ, ବରଂ ଆଦିବାସୀ ସମୁଦାୟଙ୍କ କଥା ଶୁଣିବା ଓ ବୁଝିବା ଆବଶ୍ୟକ।
ପ୍ରଫେସର ବାସା ଆଦିବାସୀ ଜ୍ଞାନତତ୍ତ୍ୱ ଓ ଜାତିଗତ ସେନ୍ସିଟିଭିଟିର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ ଆଦିବାସୀ ସମୁଦାୟ ତାଙ୍କର ପ୍ରାକୃତିକ ପରିବେଶରେ ସବୁଠୁ ସ୍ୱାଭାବିକ ଭାବେ ଜୀବନ ଜାପନ କରିଥାନ୍ତି । ସେ କହିଥିଲେ ଯେ ମୌଖିକ ପାରମ୍ପରିକତା, ଆଚାର-ବିଚାର ଓ ପରିବେଶୀୟ ଜ୍ଞାନ ସଫଳ ଓ ସୁସଂଗଠିତ ଜ୍ଞାନ ପ୍ରଣାଳୀ ହେଉଛି ଏହି ସଂସ୍କୃତିର ବୈଶିଷ୍ଟ। “ଆଦିବାସୀ ଜ୍ଞାନତତ୍ତ୍ୱ କେବଳ ଅତୀତର ଅବଶେଷ ନୁହେଁ; ଏହା ପରିବେଶୀୟ ସଙ୍କଟ ସମୟରେ ସ୍ଥାୟୀ ଓ ସମାନତାମୂଳକ ଭବିଷ୍ୟତ ଗଢ଼ିବାରେ ଦିଗନିର୍ଦ୍ଦେଶ ଦେଇଥାଏ,” ବୋଲି ସେ ମତ ପ୍ରକାଶ କରିଥିଲେ।
ମୂଖ୍ୟ ଅଭିଭାଷଣରେ ପ୍ରଫେସର ମହାନ୍ତି ଏସିଆ-ପ୍ୟାସିଫିକ ଅଞ୍ଚଳ ସହିତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଆମେରିକାରେ ବିକଶିତ ଆଦିବାସୀ ସଂସ୍କୃତି ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ସେ କହିଥିଲେ ଯେ ଭାରତର ପରିଧିଭୂତ ଆଦିବାସୀ ସଂସ୍କୃତି ପାଇଁ ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ-ଆର୍ଥିକ କ୍ଷେତ୍ରରେ ସମାନ ମଞ୍ଚ ସୃଷ୍ଟି ଅତ୍ୟାବଶ୍ୟକ। ଅନୁବାଦ ଅଧ୍ୟୟନର ପ୍ରସଙ୍ଗରେ ସେ କହିଥିଲେ ଯେ ବିଶ୍ୱ ସାହିତ୍ୟ ମଞ୍ଚରେ ଅନୁବାଦକଙ୍କ ଦୃଶ୍ୟମାନ ଭୂମିକା ରହିବା ଆବଶ୍ୟକ।
ଡା. ଦମୟନ୍ତୀ ବେଶ୍ରା କେଉଁଝର ଜିଲ୍ଲାର ଜୁଆଙ୍ଗ ଜାତିର ସାଂସ୍କୃତିକ ଓ ଧାର୍ମିକ ପାରମ୍ପରିକତା ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆଦିବାସୀ ସମୁଦାୟ ନିଜ ଅଞ୍ଚଳରେ ସବୁଠୁ ସୁରକ୍ଷିତ ଅନୁଭବ କରନ୍ତି, ଯେଉଁଠାରେ ତାଙ୍କର ପରମ୍ପରା ଓ ଗରିମାକୁ ସମ୍ମାନ ଦିଆଯାଏ।
ଦୁଇଦିନ ଧରି ୨୬ଟି ସମାନାନ୍ତର ଟେକ୍ନିକାଲ୍ ସେସନରେ ଦେଶର ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଗବେଷକମାନେ ୧୫୭ଟି ଗବେଷଣା ପତ୍ର ପ୍ରସ୍ତୁତ କରିଥିଲେ। ଆଦିବାସୀ ସାହିତ୍ୟ, ମୌଖିକ ପରମ୍ପରା, ସ୍ୱଦେଶୀ ଜ୍ଞାନ ପ୍ରଣାଳୀ, ସାଂସ୍କୃତିକ ସ୍ମୃତି ଓ ଅନ୍ତରବିଷୟକ ଆଲୋଚନା ଏହି ସମ୍ମେଳନୀର ମୁଖ୍ୟ ଆକର୍ଷଣ ଥିଲା।
ସମ୍ମେଳନୀଟି ଉତ୍ସାହଭରା ଶିକ୍ଷାନୁଷ୍ଠାନୀୟ ଆଲୋଚନା ସହ ଜାତୀୟ ଓ ବିଶ୍ୱସ୍ତରରେ ଆଦିବାସୀ ଅଧ୍ୟୟନକୁ ଆଗକୁ ବଢ଼ାଇବାର ସଙ୍କଳ୍ପ ସହିତ ଉଦ୍ଯପୀୟ ହୋଇଥିବା ସୂଚନା ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡା. ଫଗୁନାଥ ଭୋଇ ଜଣାଇଛନ୍ତି।
ଡା. ଫଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
