*ନୂଆପଡାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ପ୍ରଗତି, ଆହ୍ବାନ ଓ ଭବିଷ୍ୟତ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
, ତା ୧୪.୦୨
ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନ : ସୁସ୍ଥ, ସବୁଜ ଭବିଷ୍ୟତ ପାଇଁ ସଂକଳ୍ପ ଓ ସଚେତନତାର ସ୍ପନ୍ଦନ ,ଏହା କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାଶ l ଏହି ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଟିମମାନେ ବିଭିନ୍ନ ବ୍ଲକ ଓ ଏନଏସିକୁ ସଂଯୁକ୍ତ ଭାବେ ପରିଦର୍ଶନ କରି କାର୍ଯକ୍ରମ ତଦାରଖ କରିଥିଲେ।ଏହି ସଂଘଟିତ ପଦକ୍ଷେପ ଫଳରେ ପ୍ରାୟ ୫୫ କିଲୋଗ୍ରାମ ନିଷିଦ୍ଧ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ଜବତ କରାଯାଇଥିଲା, ୩,୦୦୦ ଟଙ୍କା ଅର୍ଥଦଣ୍ଡ ଆଦାୟ ହୋଇଥିଲା ଏବଂ ପ୍ରାୟ ୨,୫୦୦ କିଲୋଗ୍ରାମ ପ୍ଲାଷ୍ଟିକ ଅବଶିଷ୍ଟ ସଂଗ୍ରହ କରାଯାଇ ପରିବେଶ ସୁରକ୍ଷା ପଥରେ ଏକ ବଳିଷ୍ଠ ପଦକ୍ଷେପ ନିଆ ଯାଇଥିଲା।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬ଟି “ବର୍ତ୍ତନ ବ୍ୟାଙ୍କ” ଉଦଘାଟନ କରାଯାଇ, ପ୍ଲାଷ୍ଟିକର ବିକଳ୍ପ ବ୍ୟବହାର ପାଇଁ ଏକ ନୂତନ ଦିଗ ଉନ୍ମୋଚିତ ହୋଇଥିଲା। ଜିଲ୍ଲାପାଳଙ୍କ ପ୍ରେରଣାଦାୟକ ନେତୃତ୍ୱରେ ଇଏମଆରଏସ, ନୁଆପଡାରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଯୁବ ପିଢ଼ୀଙ୍କୁ ପ୍ଲାଷ୍ଟିକମୁକ୍ତ ଜୀବନଶୈଳୀ ଅଙ୍ଗୀକାର କରିବାକୁ ଏବଂ ପରିବେଶ ସୁରକ୍ଷାରେ ସକ୍ରିୟ ଭୂମିକା ନେବାକୁ ଉଦବୁଦ୍ଧ କରାଯାଇଥିଲା। ଅପରାହ୍ନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ପ୍ରଗତି, ଆହ୍ବାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସମସ୍ତ ୮ଟି ସ୍ୱଚ୍ଛ ଟିମ ସହ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ଅଭିଯାନର ବର୍ତ୍ତମାନ ଗତିପଥ, ସ୍ୱଚ୍ଛ ଟିମର ପ୍ରଭାବ, ଜନ ସହଭାଗିତାର ବିସ୍ତାର ଓ ପ୍ଲାଷ୍ଟିକ ବିକଳ୍ପ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।
ବୈଠକରେ ୟୁନିସେଫ୍ ବିଶେଷଜ୍ଞ ଯୋଗେନ୍ଦ୍ର ସିଂହ ଓ ଜ୍ୟୋତିର୍ମୟ ଦେବ,ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲପାଳ ସୁର୍ମି ସୋରେନ, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନାୟକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ସହ ସମସ୍ତ ବିଡିଓ, ତହସିଲଦାର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକଟି ତଥ୍ୟ ଆଧାରିତ ପ୍ରସ୍ତୁତିକରଣ, କ୍ଷେତ୍ରସ୍ତରୀୟ ଅନୁଭବ ବିନିମୟ ଓ ଆଲୋଚନାର କ୍ଷେତ୍ର ଥିଲା। ପ୍ରତ୍ୟେକ ସ୍ୱଚ୍ଛ ଟିମ ତାଙ୍କର କ୍ଷେତ୍ରଭିତ୍ତିକ ପ୍ରଗତି, ଜବତ ଓ ଅର୍ଥଦଣ୍ଡ ସମ୍ପର୍କିତ ତଥ୍ୟ, ସମସ୍ୟା ଓ ସମାଧାନମୂଳକ ପଦକ୍ଷେପ ବିଷୟରେ ଗୃହକୁ ଅବଗତ କରାଇଥିଲେ।
ଆଗାମୀ ଦିନରେ ଅଧିକ କଡା ଯାଞ୍ଚ, ନିୟମିତ ନିରୀକ୍ଷଣ, ବ୍ୟବସାୟୀମାନଙ୍କ ସହ ସଂଳାପମୂଳକ ସଚେତନତା, ଶିକ୍ଷାନୁଷ୍ଠାନ ମାଧ୍ୟମରେ ଯୁବପିଢିଙ୍କ ସକ୍ରିୟ ସଂପୃକ୍ତି ଏବଂ ବର୍ତ୍ତନ ବ୍ୟାଙ୍କ ବ୍ୟବହାରକୁ ବ୍ୟାପକ କରିବା ପାଇଁ ସମନ୍ୱିତ ରଣନୀତି ଗ୍ରହଣ କରାଯାଇଥିଲା।ଅଭିଯାନକୁ ଅଧିକ ସୁସଂଗଠିତ,ପ୍ରଭାବଶାଳୀ ଓ ସ୍ଥାୟୀ କରିବା ପାଇଁ ସମୟବଦ୍ଧ କାର୍ଯ୍ୟଯୋଜନା ସହ ଦାୟିତ୍ୱ ବଣ୍ଟନ ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ଏହି ଅବସରରେ ନୂଆପଡା ଏନ୍ ଏ ସି ଅଞ୍ଚଳର ତିନୋଟି ବର୍ତ୍ତନ୍ ବ୍ୟାଙ୍କ୍ ଉଦ୍ଘାଟନ ହୋଇଥିଲା l କାର୍ଯ୍ୟକ୍ରମକୁ ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା ସଂଯୋଜନା କରିଥିଲେ।
