*ଡୁଆଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଶିକ୍ଷା ହିଁ ସମାଜ କୁ ସମୃଦ୍ଧ ଏବଂ ବିକଶିତ କରେ ବୋଲି ଅତିଥିଙ୍କ ମନ୍ତବ୍ୟ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୭.୦୨.
ଡୁଆଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଖଡ଼ିଆଳ ବ୍ଲକ ଶିକ୍ଷାଧିକାରୀ କନ୍ହୁ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚଟ୍ଟୋପାଧ୍ୟାୟ ମୁଖ୍ୟ ବକ୍ତା ଥିଲେ। ଏହା ସହ ସାମ୍ବାଦିକ ଅଜିତ ପଣ୍ଡା, ପୂର୍ବତନ ଅଧ୍ୟାପିକା ମୀନା ସାହା ଓ ଶିକ୍ଷା ପରିଚାଳନା କମିଟି ସଦସ୍ୟ ଅଧିବକ୍ତା ରବିନ୍ଦ୍ର କୁମ୍ଭାର ଓ ଯୁଧିଷ୍ଠିର ମେହେର ଉପସ୍ଥିତ ଥିଲେ।
ଅତିଥିମାନେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ତେବେ ଏହି ଉତ୍ସବର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବିଦ୍ୟାଳୟର ବିଭିନ୍ନ ସମସ୍ୟା, ବିଶେଷକରି ସ୍ଥାନ ଓ ଶ୍ରେଣୀକକ୍ଷର ତୀବ୍ର ଅଭାବ। ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଏହାକୁ ବିଦ୍ୟାଳୟ ପାଇଁ ଏକ ମୁଖ୍ୟ ସମସ୍ୟା ବୋଲି ଉଲ୍ଲେଖ କରିଥିଲେ।
ବିଦ୍ୟାଳୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି, କିନ୍ତୁ କେବଳ ଚାରିଟି ଶ୍ରେଣୀକକ୍ଷରେ ପଢ଼ା ଚାଲିଛି। ପାଠପଢ଼ାକୁ ସୁଚାରୁ କରିବା ପାଇଁ ଶିଫ୍ଟ ଭିତ୍ତିକ ଶ୍ରେଣୀ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ସମସ୍ତ ଶ୍ରେଣୀ ଏକାସଙ୍ଗେ ଚାଲାଇବା ସମ୍ଭବ ହେଉନାହିଁ।
ତେଣୁକରି ଯୁକ୍ତ୨ ଶ୍ରେଣୀ ସକାଳ ଶିଫ୍ଟରେ ଓ ନବମ-ଦଶମ ଶ୍ରେଣୀ ତାପରେ ଚାଲୁଛି, ଯଦ୍ୱାରା ସମସ୍ୟା ହେଉଛି, ବୋଲି ପରିଚାଳନା କମିଟି ସଦସ୍ୟ ରବିନ୍ଦ୍ର କୁମ୍ଭାର କହିଥିଲେ।
ବିଦ୍ୟାଳୟ ପାଇଁ ଏ.୪.୩୬ ଡିସିମିଲ ଜମି ଆବଣ୍ଟନ ହୋଇଥିଲେ ମଧ୍ୟ, ସେଠାରେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି କାରଣରୁ ବିଦ୍ୟାଳୟ ପୁରୁଣା ସ୍ଥାନରେ ଚାଲୁଛି। ଅତିରିକ୍ତ ଶ୍ରେଣୀ କକ୍ଷ ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସଫଳତା ମିଳିନାହିଁ। ଖଡ଼ିଆଳ ବିଧାୟକଙ୍କ MLALAD ତହବିଲରୁ ₹୧୦ ଲକ୍ଷ ଟଙ୍କା ମିଳି ଦୁଇଟି କକ୍ଷର ଛାତ ଢଳା ହୋଇଥିଲେ ମଧ୍ୟ, ଅର୍ଥାଭାବରୁ ଶେଷ କାମ ଅଟକି ରହିଛି।
ଅଭିଭାବକ ଓ ଶିକ୍ଷକମାନେ ଅପୂର୍ଣ୍ଣ କକ୍ଷ ନିର୍ମାଣ ପାଇଁ ଆର୍ଥିକ ସହାୟତା ସହ ଉଚ୍ଚ ମାଧ୍ୟମିକ ଶାଖା ପାଇଁ ଅତିରିକ୍ତ ଜମି ଆବଣ୍ଟନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି। “ପୂର୍ବରୁ ଆବଣ୍ଟିତ ଜମି ପାଖକୁ ଥିବା ପ୍ରାୟ ୩.୫ ଏକର ଜମି ଏବେ ଖାଲି ପଡ଼ିରହିଛି। ଏହା ଯଦି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳେ, ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ,” ବୋଲି କୁମ୍ଭାର କହିଛନ୍ତି।
ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସାହୁ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବା ସହ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କଳା ମାଧ୍ୟମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଯୋଗାଇଛି।
