ରେମୁଣା ବିଧାନସଭା ମଣ୍ଡଳୀ ପାଇଁ ୨୦୨୬ ର ପ୍ରଥମ ଏ ସି ଡି ସି ବୈଠକ ଅନୁଷ୍ଠିତ:
ବାଲେଶ୍ୱର, ତା: ୦୭/୦୨/୨୦୨୬ରିଖ ରେମୁଣା ବିଧାନସଭା ମଣ୍ଡଳୀ ସମ୍ବନ୍ଧୀୟ ୨୦୨୬ ର ପ୍ରଥମ ବିଧାନସଭା ସ୍ତରୀୟ ବିକାଶ ସମନ୍ୱୟ କମିଟି (ACDC) ବୈଠକ ଆଜି ବାଲେଶ୍ୱର କଲେକ୍ଟରେଟ୍ ଆଡିଟୋରିୟମ୍ରେ ଅନୁଷ୍ଠିତ ହୋଇଥିଲା । ବୈଠକଟି ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକଟି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବାଲେଶ୍ୱର ଶ୍ରୀ ହେମନ୍ତ କୁମାର ସିଂହଙ୍କ ଆହ୍ୱାନରେ ହୋଇଥିବାବେଳେ ଜିଲ୍ଲା ପରିଷଦ ବାଲେଶ୍ୱରର ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-ନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ ଉପସ୍ଥିତ ଥିଲେ । ସମସ୍ତ ସମ୍ବନ୍ଧିତ ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।
ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଦାସ ବିଭାଗ ଅନୁଯାୟୀ ଏଜେଣ୍ଡା ଆଧାରରେ ସମୀକ୍ଷା କରି ରେମୁଣା ବିଧାନସଭା ମଣ୍ଡଳୀରେ ଚାଲୁଥିବା ବିକାଶ କାର୍ଯ୍ୟର ପ୍ରଗତି ଉପରେ ଆଲୋଚନା କରିଥିଲେ । ସଦର ବ୍ଲକ୍ର ୧୩ଟି ଗ୍ରାମ ପଞ୍ଚାୟତ୍ ରେମୁଣା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ । ରେମୁଣା ଏବଂ ବାଲେଶ୍ୱର ତହସିଲଦାରମାନଙ୍କ ଠାରୁ ଜାତି ପ୍ରମାଣପତ୍ର, ବିଭିନ୍ନ ପ୍ରକାର ପ୍ରମାଣପତ୍ର, ବସୁନ୍ଧରା ଯୋଜନା ଓ ଅନ୍ୟାନ୍ୟ ଭୂମି ସମ୍ବନ୍ଧୀୟ ବିଷୟରେ ସମୀକ୍ଷା କରାଯାଇଥିଲା ।
ପି ଏଚ୍ ଡି ଓ ଆର୍ ଡବ୍ଲୁ ଏସ ଏସ ବିଭାଗ ଦ୍ୱାରା ଅପୂର୍ଣ୍ଣ ପାଇପଲାଇନ୍ ପ୍ରକଳ୍ପ ଏବଂ ସେ ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା । ଏନ୍ ଏଚ ଏମ ର ସହକାରୀ ଇଞ୍ଜିନିୟରଙ୍କୁ ଅପୂର୍ଣ୍ଣ ସବ୍-ସେଣ୍ଟର, ପି ଏଚ ସି ଓ ସି ଏଚ ସି ସମ୍ବନ୍ଧୀୟ ଅବସ୍ଥା ଉପସ୍ଥାପନ କରିବାକୁ କୁହାଯାଇଥିଲା । ଆର୍ ଡି ( ଗ୍ରାମ୍ୟ ଉନ୍ନୟନ) ବିଭାଗ ଏବଂ ଆର୍ଏଣ୍ଡବି (ପୂର୍ତ୍ତ) ବିଭାଗ ଦ୍ୱାରା ଚାଲୁଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।
ସେହିପରି ସରକାରୀ ITI କଲେଜ୍ ଓ ଫାର୍ମାସ୍ୟୁଟିକାଲ୍ କଲେଜ୍ ସମେତ ଅନ୍ୟାନ୍ୟ ବିଭାଗମାନଙ୍କ ଠାରୁ ଜମିର ସ୍ଥିତି ଓ ଛାତ୍ରଛାତ୍ରୀମାନେ ଯଥାଯଥ ଭାବେ ନିଯୁକ୍ତି ପାଉଛନ୍ତି କି ନାହିଁ ତାହା ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ ବିକାଶ ଅଧିକାରୀ କ୍ଷୀରଚୋରା ଗୋପୀନାଥ ମନ୍ଦିର ପ୍ରକଳ୍ପ ସହିତ ଅନ୍ୟାନ୍ୟ ପର୍ଯ୍ୟଟନ ପ୍ରକଳ୍ପର ପ୍ରଗତି ଉପରେ ଅବଗତ କରାଇଥିଲେ । ତାଲପଡ଼ା ପରି ଅନ୍ୟାନ୍ୟ ସୁନ୍ଦର ପର୍ଯ୍ୟଟନ ସ୍ଥଳକୁ ନେଇ ପ୍ରସ୍ତାବ ରଖିବାକୁ ସୁପାରିଶ କରାଯାଇଥିଲା ।
ଶିକ୍ଷା, କୃଷି, ମତ୍ସ୍ୟ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମଗ୍ର ସମୀକ୍ଷା କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀ ଦାସ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି, ବିଭାଗୀୟ ସମନ୍ୱୟ ଓ ସାଧାରଣ ଲୋକଙ୍କୁ ସେବା ପ୍ରଦାନକୁ ଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
