ଅର୍ଣ୍ଣାବର ପ୍ରଭାବରେ ଘର ଉପରେ ବିରାଟ ଗଛ ଭାଙ୍ଗିପଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାର
କୋକସରା, (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ): ଝଡ଼ତୋଫାନ ସାଙ୍ଗକୁ ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଅର୍ଣ୍ଣାବର ପ୍ରଭାବରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିଛି।
କନ୍ଦାବୁଟୁରା ପଞ୍ଚାୟତ ତୁନଗାଁରେ ଝଡ଼ ପବନ ଯୋଗୁଁ ଭୁଜବଲ ପାଣିଗ୍ରାହୀଙ୍କ ଘର ଉପରେ ଏକ ବିରାଟ ବରକୋଳି ଗଛ ଭାଙ୍ଗି ପଡ଼ିଛି। ଘଟଣା ସମୟରେ ଘରେ ଥିବା ପରିବାର ସଦସ୍ୟମାନେ ଅଳ୍ପକେ ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ଆସିଥିବା ଜଣାପଡ଼ିଛି। ତେବେ ଗଛ ପଡ଼ିବା ଫଳରେ ଘରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଘଟଣା ସମ୍ପର୍କରେ ପରିବାର ପକ୍ଷରୁ କୋକସରା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ କାଶ୍ୟପ କୁ ପଟ୍ଟନାୟକ,ସୁନୀଲ ରଞ୍ଜନ ବର୍ଲା,ଲଳିତ ପୁଟେଲ,ଉମା ଶଙ୍କର ନାଏକ,ରାଧେଶ୍ୟାମ ପ୍ରଧାନୀ,ଦେବାଶିଷ ମହାପାତ୍ର ଓ ବିଶ୍ୱଜିତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ପଡ଼ିଥିବା ଗଛକୁ କାଟି ସଫା କରିଥିଲେ।ଘର ଭାଙ୍ଗିଯିବା ପରେ ବର୍ଷା ଦିନରେ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ ସହାୟତା ଓ ରହିବା ପାଇଁ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି।
