
| ବଡସାହି,…କେନ୍ଦ୍ର ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡା ମନ୍ତ୍ରାଳୟ ଆନୁକୁଲ୍ୟରେ ଓ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ମୟୁରଭୀଜ ଓ କେନ୍ଦୁଝର ଜିଲ୍ଲାର ଯୁବ ପ୍ରତିଭା ମାନଙ୍କୁ ନେଇ ବିକଶିତ ଭାରତ ଯୁବ ସଂସଦ–୨୦୨୫ ଅନୁଷ୍ଠିତ ହୋଇଯାଇଛି । ଶେଷ ପର୍ଯ୍ୟାୟରେ ୧୦ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ବୁଧୁବାର ସେମାନେ ରାଜ୍ୟ ବିଧାନସଭାରେ ‘ବିକଶିତ ଭାରତ’ ପାଇଁ ସେମାନଙ୍କ ପରିକଳ୍ପନା ସମ୍ପର୍କରେ ଅଭିମତ ରଖିବେ ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ବଡସାହି
ବ୍ଲକରୁ ୨ ଜଣ ମନୋନୀତ ହୋଇଛନ୍ତି । ସେମାନେ ହେଲେ କୋଚିଳାଙ୍ଖଟା ପଂଚାୟତ ପାଇକପଡା ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ସଂଯୁକ୍ତା ମହାନ୍ତିଙ୍କ ସୁପୁତ୍ର କୁମାର ଅଭିଷେକ ମହାନ୍ତି
। ସେ ଜଣେ ଭଲ ଛାତ୍ର ହେଇଥିବା ବେଳେ ବର୍ତମାନ ଏମବିବିଏସର ଶେଷ ବର୍ଷର ଛାତ୍ର ବୋଲି ଜଣାଯାଇଛି । ସେହିପରି ଦେଉଳିଆ ପଂଚାୟତ ଦେଉଳିଆ ଗ୍ରାମର ପରମାନନ୍ଦ ସଦୁଆଳ ଓ ସୁଶ୍ରୀ ସରିତା ପଟ୍ଟନାୟକଙ୍କ ସୁପୁତ୍ରୀ ଅର୍ପିତା ରିଶିପ୍ରିୟା । ସେ ମଧ୍ୟ ଜଣେ ଭଲ ଛାତ୍ରୀ ହୋଇଥିବା ବେଳେ ବର୍ତମାନ ଇଂରାଜୀ ପୋଷ୍ଟ ଗ୍ରାଜୁଏଟ କରୁଛନ୍ତି । ଏହାକୁ ନେଇ ନିଜ ନିଜର ପଂଚାୟତ ସହିତ ବଡସାହି ଅଂଚଳର ଖୁସିର ଲହରୀ ଖେଳିଯାଇଛି । ସେମାନଙ୍କ ସହିତ ସେମାନଙ୍କ ବାପାମାଆ ମାନଙ୍କ ନିକଟକୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରାରମ୍ଭିକ ପର୍ଯ୍ୟାରେ ମୟୁରଭଜ ଓ କେନ୍ଦୁଝରରୁ ଏହି କାର୍ଯ୍ୟକ୍ରମରେ ମୋଟ ୩୦୫ ଜଣ ଯୁବ ପ୍ରାର୍ଥୀ ଯୋଗ ଦେଇଥିଲେ । ସେମାନେ ବିକଶିତ ଭାରତ
ପାଇଁ ସେମାନଙ୍କର ଅଭିମତ ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଭିଡିଓ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେମାନଙ୍କ ମଧ୍ୟରୁ କମିଟି ସମୀକ୍ଷା କରି ୧୫୦ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଥିଲା । ସେମାନେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ- ବିକାଶ ପଥରେ ଭାରତ’ ଶୀର୍ଷକ ଉପରେ ଉପସ୍ଥିତ କମିଟିର ବିଶେଷଜ୍ଞମାନଙ୍କ ସମ୍ମୁଖରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୧୦ ଜଣ ପ୍ରତିଭାଙ୍କୁ ମନୋନୀତ କରାଯାଇ ରାଜ୍ୟ ବିଧାନସଭାକୁ ପଠାଯାଇଛି ।