ଜାତୀୟ ଯୁବ ଦିବସରେ ତାଳପଦା ବେଳାଭୂମି ସଫା କଲେ ଆଦର୍ଶ ଯୁବ ପରିଷଦ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର): ଆଦର୍ଶ ଯୁବ ପରିଷଦ ସୋର ତରଫରୁ ତାର ଷଷ୍ଠ ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଭାରତ ଭିତ୍ତିକ ଏକ ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଜାମୁକା ସମୁଦ୍ର ବେଳାଭୂମି ମୁହାଁଣରେ ଉକ୍ତ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ପରିଷଦ ତରଫରୁ ସଦସ୍ୟ ମାନଙ୍କ ଦ୍ୱାରା ପ୍ରାରମ୍ଭରେ ବେଳାଭୂମି ସହ ସଂଲଗ୍ନ ଝାଉଁ ଜଙ୍ଗଲରେ ପର୍ଯ୍ୟଟକଙ୍କ ଦ୍ୱାରା ପଡ଼ିଥିବା ବିଭିନ୍ନ ଅଳିଆକୁ ସଫା କରାଯାଇଥିଲା। ପରେ ପରେ ବେଳାଭୂମିରେ ପରିଷଦ ତରଫରୁ ପରିଷଦର ଜନ୍ମ ଜୟନ୍ତୀକୁ ଛେନାପୋଡ଼ କଟା ଯାଇ ପାଳନ କରାଯାଇଥିଲା। ପ୍ରତେକ ବର୍ଷ ଏପରି ପରିବେଶ ସଚେତନତା ନେଇ ଏକ ବନ୍ଧୁ ମିଳନ କରାଯାଇ ସ୍ୱଚ୍ଛତା ହିଁ ସେବା ପରିଷଦର ବାର୍ତ୍ତା ରୂପେ କାମ କରାଯାଉଛି ବୋଲି ସଭାପତି ପୃଥିବୀ ରଞ୍ଜନ ବେହେରା ପ୍ରକାଶ କରିଥିଲେ। ଏପରି ନିଆରା କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଦସ୍ୟ ରବୀନ୍ଦ୍ର ବେହେରା ମତ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ହରେନ୍ଦ୍ର ମଳିକଙ୍କ ସହ ବରିପଦାର ସମାଜସେଵୀ ତଥା ସଦସ୍ୟ ରାଜେନ୍ଦ୍ର ମଲ୍ଲିକ ପରିଷଦର ଏପରି ପରିବେଶ ସଚେତନତା ଭିତ୍ତିକ ବନ୍ଧୁ ମିଳନ ଆସାରକୁ ପ୍ରଶଂସା କରିଥିଲେ। ଏହି ବନ୍ଧୁ ମିଳନରେ ପରିଷଦ ତରଫରୁ ବହୁ ସଂଖ୍ୟାରେ ସଦସ୍ୟ ମାନେ ଉପସ୍ଥିତ ରହି ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ।
