**ନୂଆପଡ଼ାରେ ଡ୍ରାଇଭର ମାନଙ୍କ ନିଶୁଳ୍କ ଚକ୍ଷୁ ଏବଂ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଗାଡ଼ି ଚାଳକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନୂଆପଡ଼ା ପକ୍ଷରୁ ଓଏସଆରଟିସିର ଜିଲ୍ଲା ପରିବହନ ପ୍ରବନ୍ଧକ , ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ମିଳିତ ସହଯୋଗରେ ଆଜି ନୂଆପଡ଼ା ଓଏସଆରଟିସି ବସ୍ ଷ୍ଟାଣ୍ଡଠାରେ ଏକ ନିଶୁଳ୍କ ଚକ୍ଷୁ ଏବଂ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଗାଡ଼ି ଚାଳକମାନଙ୍କ ସହ ସିଧାସଳଖ ଆଲୋଚନା କରି ସଡ଼କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହିତ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ଶୂନ (Zero Fatality) କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଶିବିରରେ ୫୦ରୁ ଅଧିକ ଡ୍ରାଇଭର ଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣଙ୍କ ଦୃଷ୍ଟିଶକ୍ତି ସମସ୍ୟା ଥିବା ଜଣାପଡ଼ିବା ପରେ ସେମାନଙ୍କୁ ମାଗଣା ଚଷମା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଆଗକୁ ମଧ୍ୟ ଏହିଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଜିଲ୍ଲାପାଳଙ୍କ ଡ଼୍ରାଇଭର ମାନଙ୍କ ସହିତ ଆନ୍ତରିକ ଭାବ ବିନିମୟ ଏବଂ ଆଜିର ଏହି ଅଭିନବ ପ୍ରୟାସ ପାଇଁ ଚାଳକ ସଂଘ ପକ୍ଷରୁ ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରାଯାଇଛି। “ଶିଖ ସେ ସୁରକ୍ଷା, ଟେକ୍ନୋଲୋଜି ସେ ପରିବର୍ତ୍ତନ” ର ନାରା ସହ ଜାନୁଆରୀ ମାସ ସାରା ଜିଲ୍ଲାରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଦ୍ୱାରା ନୂଆପଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ଶୂନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା ସୂଚନା ଦେଇଛନ୍ତି l
