
*ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି
*ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତି
*ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ
ବୌଦ୍ଧ:- ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନିର୍ବାଚନ କମିଶନ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି l ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲ୍ଲାସ୍ତରରେ ଏହାର ବାରମ୍ବାର ସମୀକ୍ଷା କରାଯାଉଛି l ବିଶେଷ ଭାବରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୃତ ଲୋକଙ୍କୁ ତାଲିକାରୁ ବାଦ ଦେବା ସହିତ ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି l ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ନିର୍ଭୁଲ ଭାବରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତି ବୁଥ ପାଇଁ ଜଣେ ପ୍ରତିନିଧିଙ୍କ ନାମ ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା l ଭୋଟର ପରିଚୟ ପତ୍ର ସହ ଆଧାର ସଂଯୁକ୍ତ କରିବା, ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ମାର୍ଗଦର୍ଶିକାକୁ ଅନୁସରଣ କରି ତାଲିକା ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା l ପିତା ମାତାଙ୍କ ସମ୍ପତ୍ତିରେ ଭାଗ ଦାବିରୁ ବିତ କରିବା ପାଇଁ ଝିଅ ଭୋଟରମାନଙ୍କୁ ତାଲିକାଭୁକ୍ତ କରାଯାଉନଥିବା ଭଳି ଅଭିଯୋଗ ହେଉଥିବାବେଳେ ବୁଥସ୍ତରୀୟ ପ୍ରତିନିଧିମାନେ ସେମାନଙ୍କୁ ସଚେତନ କରି ସମସ୍ତ ଯୋଗ୍ୟ ଝିଅ ଭୋଟରଙ୍କୁ ତାଲିକାଭୁକ୍ତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା l ଜେଣ୍ଡର ରେସିଓରେ ବୌଦ୍ଧ ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବାରୁ ଏଥିପାଇଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ବୁଥସ୍ତରୀୟ ପ୍ରତିନିଧି ଏବଂ ନିର୍ବାଚନ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀମାନଙ୍କ ଭୂମିକା ପ୍ରଶଂସନୀୟ ଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଏବଂ ଏହି ସଫଳତା ସେମାନଙ୍କର ବୋଲି କହିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, କଂଗ୍ରେସ ଦଳ ପକ୍ଷରୁ ଶାନ୍ତନୁ କୁମାର ମହାପାତ୍ର, ବିଜେଡି ଦଳ ପକ୍ଷରୁ ଶିତାଂଶୁ ଶେଖର ମହାକୁଡ ଓ କମ୍ଭୁଧର କ୍ଷେତି, ବିଜେପି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦର ପୁରୋହିତ ଓ ପଙ୍କଜ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ l ଡେପୁଟି କଲେକ୍ଟର(ନିର୍ବାଚନ) ବୈଠକକୁ ପରିଚାଳନା କରିଥିବାବେଳେ ନିର୍ବାଚନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ l