Skip to content
- ବାଲେଶ୍ବରରେ ଖଣି ଓ କ୍ରସର ୟୁନିଟର ସଂଯୁକ୍ତ ଯାଞ୍ଚ:
ବାଲେଶ୍ୱର,ଆଜି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଖଣି କ୍ଷେତ୍ର ଓ କ୍ରସର ୟୁନିଟ ଗୁଡ଼ିକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପ-ଜିଲ୍ଲାପାଳ, ଖଇରା ତହସିଲଦାର, ଖଣି ଅଧିକାରୀ ସହ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ଏକ ସଂଯୁକ୍ତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କ୍ରସର ୟୁନିଟ ଗୁଡିକରେ ଅବୈଧ ଭାବେ ସଞ୍ଚିତ ଖଣିଜ ସାମଗ୍ରୀ ବିରୁଦ୍ଧରେ ଆଇନାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବି ଏନ୍ ଏସ ଏସ ର ନିୟମ ୧୬୩ ଉଲ୍ଲଂଘନ ହେଉଛି କି ନୁହେଁ, ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା।
କ୍ରସର ୟୁନିଟ ଗୁଡ଼ିକରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ମାନଦଣ୍ଡ ପାଳନ ହେଉଛି କି ନାହିଁ,ସେଥିରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଅବୈଧ ଖଣିଜ ପରିବହନ ରୋକିବା ଓ ନିରୀକ୍ଷଣକୁ ସୁଦୃଢ଼ କରିବା ପାଇଁ ଖଇରା ବ୍ଲକର ଦେଉଳଗଡ଼ିଆ, ବାଗେଇପୁର ଓ ହାଣ୍ଡିଆହାଟ ଠାରେ ୩ଟି ଚେକ୍ ପୋଷ୍ଟ୍ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହା ସହିତ, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ବାଗୁଡ଼ି ଅଞ୍ଚଳର ଖଣି ଓ କ୍ରସର ୟୁନିଟ ଗୁଡ଼ିକରେ ମଧ୍ୟ ସମାନ ପ୍ରକାରର ଯାଞ୍ଚ କରାଯାଇ, ଖଣି, ପରିବେଶ ଓ ସୁରକ୍ଷା ସମ୍ପର୍କିତ ନିୟମାବଳୀ ପାଳନ ବିଷୟରେ ସମୀକ୍ଷା କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅବୈଧ ଖଣି କାର୍ଯ୍ୟକଳାପ ଓ ନିୟମ ଉଲ୍ଲଂଘନ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯିବା ସହ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁନରୁଚ୍ଚାରଣ କରାଯାଇଛି।
ବାଲେଶ୍ବରରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।