
କେନ୍ଦ୍ରାପଡା : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ମାର୍ଶାଘାଇ ବ୍ଲକ ଶିଳିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣୀ ଶିବିରରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ ଥିବାବେଳେ ପ୍ରଚାର ପ୍ରସାର ଅଭାବରୁ ଏହି ଶିବିର ମୁଖ୍ୟତଃ ଶିଳିପୁର ପଞ୍ଚାୟତ ମଧ୍ୟରେ ସୀମିତ ଥିବା ପରିଲକ୍ଷିତ ହୋଇଥିଲା।
ଶିବିରରେ ସମୁଦାୟ ୧୩୪ ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୩ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଶିଳିପୁର ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖ (ଥାନାପଛପାର୍ଶ୍ବ) ରେ ମାତ୍ର କିଛିମିଟର ଦୂରରେ ରହୁଥିବା ୮/୧୦ ପରିବାର ପାନୀୟ ଜଳ ଓ ସବୁଦିନିଆ ରାସ୍ତା ପାଇଁ ହନ୍ତସନ୍ତ ହେଉଥିବାନେଇ ପ୍ରଣତି ରାଉତ ଓ ମନୋରମା ବେଉରା ପ୍ରମୁଖ ଅଭିଯୋଗ କରିଥିଲେ।
ଶିଳିପୁର ଗ୍ରାମରୁ ବର୍ଜ୍ୟଜଳ ନିଷ୍କାସନ ଓ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପାଇଁ ସମାଜସେବୀ ଗୌରାଙ୍ଗ ଜେନା ଲିଖିତ ଅଭିଯୋଗ କରିଥିଲେ। ଗରଜଙ୍ଗା ପଞ୍ଚାୟତ ବଡପାଳ ଓ ଶିଳିପୁର ପଞ୍ଚାୟତ ଡଅଁରମୁଣ୍ଡ ଗ୍ରାମରୁ ପାନୀୟ ଜଳଯୋଗାଣ ନିମନ୍ତେ ଅଭିଯୋଗ ଆସିଥିବା ବେଳେ ଶିଳିପୁର ସ୍କୁଲ ରାସ୍ତା ନିର୍ମାଣ, ଗ୍ରାମକୁ ଲକ୍ଷ୍ମୀ ବସ୍ ଚଳାଚଳରେ ଅନିୟମିତତା ଓ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ହୋଇଥିଲା।
ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲାପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, ବିକେ ନାୟକ (EE, RWSS), ଡା ମନୋଜ କୁମାର ପାତ୍ର( CDVO), ମନୋରମା ସ୍ବାଇଁ (DSWO), ରୂପାଲୀ ପ୍ରିୟଦର୍ଶିନୀ (DSSO), ପ୍ରଫୁଲ କୁମାର ଦାସ (ACSO ), ଯୋଗେନ୍ଦ୍ରନାଥ ବିଶ୍ବାଳ (ARCS), ଡେପୁଟୀ କଲେକ୍ଟର ପଲ୍ଲବୀ ପାତ୍ର, ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ବେଉରା, ବିଡିଓ ପଞ୍ଚାନନ ମଲ୍ଲିକ, ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ସ୍ବାଇଁ, ଥାନାଧିକାରୀ ତପନ କୁମାର ନାୟକ, ଶିଳିପୁର ପଞ୍ଚାୟତ ସମିତିସଭ୍ଯା ଭାରତୀ କାନୁନଗୋ ପ୍ରମୁଖଙ୍କ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଟିପିସିଓଡିଏଲ ସମ୍ପର୍କରେ ଅନେକ ଅଭିଯୋଗ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳ ୩/୪ ଥର ମାଇକ୍ ଯୋଗେ ଡାକିବା ପରେ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ହୋଇନଥିଲେ। ଏହାପରେ ଲାଇନ୍ ଘଣ୍ଟାଏରୁ ଅଧିକ ସମୟ କଟିଯିବାରୁ ଶିବିରରେ ଲୋକମାନେ ଦହଗଞ୍ଜ ହୋଇଥିଲେ।ଶିବିରରେ ଜିଲ୍ଲାର ସବୁ ବଡବଡ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ଟିପିସିଓଡିଏଲ ତରଫରୁ ବେପରୁଆ ଭାବେ ଲାଇନ୍ କଟାଯିବା ନେଇ ଜିଲ୍ଲା ପ୍ରଶାସନର ପାରିବାପଣିଆ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏହି ଜନଶୁଣାଣି ଶିବିର ପରିଚାଳନାରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସୌମ୍ୟାସଞ୍ଜନା ମନ୍ତ୍ରୀ ଓ ସରପଞ୍ଚ ସହଯୋଗ କରିଥିଲେ।