
ହରଭଙ୍ଗା:- ହରଭଙ୍ଗା ତହସିଲ ଅନ୍ତର୍ଗତ ହରଭଙ୍ଗା ମହାନଦୀ ବାଲିଘାଟଠାରେ ସ୍ପଷ୍ଟ ଦିବାଲୋକରେ ବିନା ଟ୍ରାଞ୍ଜିଟ ପାସରେ ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁରୁଣ୍ଡିସ୍ଥିତ ମହାନଦୀ ବାଲିଘାଟ ଉପରେ ବାଲି ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡିଛି l ମିଳିଥିବା ସୂଚନା ଅନୁଯାୟୀ ସୁରୁଣ୍ଡି ବାଲିଘାଟରେ ଯେଉଁ ବାଲି ଉତ୍ତୋଳନ ହୋଇଥାଏ ତାହାକୁ ସରୁବାଲି କୁହାଯାଏ l ସରୁବାଲି ଏକ ଉତ୍କୃଷ୍ଟ ଧରଣର ବାଲି ହୋଇଥିବା ବେଳେ ଉକ୍ତ ବାଲିର ଚାହିଦା ସବୁବେଳେ ଅଧିକ ରହିଆସିଛି l ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ ମଧ୍ୟ ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନୀ ଘଟୁଥିବା ବେଳେ ବାଲି ମାଫିଆମାନେ ମାଲାମାଲ ହେଉଛନ୍ତି l ଲିଜଧାରୀ ସୀମା ନିର୍ଧାରଣ କରି ସେମାନଙ୍କ ଲିଜ ଅଞ୍ଚଳ ମାପଚୁପ କରି ଖୁଣ୍ଟ ପୋତିବାକୁ କଡା ନିର୍ଦ୍ଦେଶ ରହିଥିଲେ ହେଁ ଖଣି ବିଭାଗର ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଉଛି l ହରଭଙ୍ଗା ତହସିଲର ଅସାଧୁ ଅଫିସର, ହରଭଙ୍ଗା ରାଜସ୍ବ ନିରୀକ୍ଷକ ତଥା ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି l ପ୍ରଶାସନର ଲାଭଖୋର ତଥା ବୈମାତୃକ ମନୋଭାବ ଯୋଗୁଁ ଜଗନ୍ନାଥ ସଡ଼କରେ ଯାତାୟାତ କରୁଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀ ଏବଂ ଜନସାଧାରଣ ବାଲି ବୋଝେଇ ଟ୍ରକର ପ୍ରଦୂଷଣ ଧୂଳିରେ ଅସ୍ତବ୍ୟସ୍ତ ହେଉଛନ୍ତି l ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଅନୁଯାୟୀ ସକାଳ ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ବାଲି ପରିବହନ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଥବା ବେଳେ ତାହା କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି l କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ସମସ୍ତ ବାଲିଘାଟରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ ହୋଇପାରିବ l ଯେଉଁ ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କାର୍ଯ୍ୟ ସମ୍ଭବ ନୁହେଁ ସେଠାରେ ମେସିନ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ l ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ଥିବାବେଳେ ପରିବେଶ ମଞ୍ଜୁରୀ ପାଇଁ ସମ୍ପୃକ୍ତ ବାଲିଘାଟର ଭୌଗୋଳିକ ସ୍ଥିତି, ବାଲିଘାଟରେ ଜମାଥିବା ବାଲିର ପରିମାଣ ତଥା ନଦୀ ଜଳର ଗତିପଥ ଏବଂ ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବ ଆଦିକୁ ଧ୍ୟାନ ଦିଆଯିବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଥିଲେ ମଧ୍ୟ ପ୍ରଶାସନର ଅବହେଳା କାରଣରୁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଛି l ଜିଲ୍ଲା ଖଣି ବିଭାଗ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସବୁକିଛି ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଛି l ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲଘୁ ଖଣିଜ ନିୟମର ଧଜିଆ ଉଡାଉଥିବା ଲିଜଧାରୀ ତଥା ବାଲି ମାଫିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବ ସମାଜସେବୀ ପ୍ରଶାସନ ନିକଟରେ ଦାବି କରିଛନ୍ତି l