ଦିନ ଦ୍ବିପ୍ରହରରେ ଘରୁ କଳାକନା ବୁଲାଇଲେ ଦୁର୍ବୁର୍ତ୍ତ
ସୋର, (ନିପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ): ସୋର ପୌର ପାଳିକା ଅନ୍ତର୍ଗତ ବଡଖୁରୀ ଗ୍ରାମରେ ଦିନ ଦ୍ବିପ୍ରହରରେ ଜଣଙ୍କ ଘରୁ ଚୋର ମାନେ କଳାକନା ବୁଲେଇ ଦେଇଥିବା ଜଣାପଡିଛି। ସୂଚନା ମୁତାବକ ଏହି ଗ୍ରାମର ଭୀମ ଚରଣ ଘଡେଇ ଆଜି ମଧ୍ୟାହ୍ନରେ ପରିବାର ସହ ଉତ୍ତରେଶ୍ୱରରେ ସମ୍ପର୍କୀୟଙ୍କ ଘରକୁ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଘରେ କେହି ନ ଥିବାର ସୁଯୋଗରେ ଦୁର୍ବୁର୍ତ୍ତ ମାନେ ଘର ଗ୍ରିଲ ଚାବି ଭାଙ୍ଗି ଘର ମଧ୍ୟରେ ପଶି ଭିତରେ ଥିବା ଏକ ଗଡ଼ରେଜ ଏବଂ ବାକ୍ସ ଚାବି ଭାଙ୍ଗି ନଗଦ ୧୦ ହଜାର ଟଙ୍କା ସମେତ ଝିଅ ବାହାଘର ପାଇଁ ରଖାଯାଇଥିବା ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ନେଇ ଫେରାର ହୋଇଯାଇଥିଲେ। ଅପରାହ୍ନରେ ଶ୍ରୀ ଘଡେଇ ଘରେ ପହଞ୍ଚିବା ପରେ ଚୋରି ହୋଇଥିବା ଜାଣି ପାରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ବାବଦରେ ଶ୍ରୀ ଘଡେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଆସନ୍ତାକାଲି ସାଇଣ୍ଟିଫିକ ଟିମ ତଦନ୍ତ କରିବ ବୋଲି ଜଣାପଡିଛି।
