ସେମିଳିଗୁଡ଼ା ରେଞ୍ଜରେ ବାଘର ଚଳପ୍ରଚଳ, ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ
କୋରାପୁଟ, ୪/୧୧/୨୦୨୬: କୋରାପୁଟ ବନଖଣ୍ଡ ଅନ୍ତର୍ଗତ ସେମିଳିଗୁଡ଼ା ବନାଞ୍ଚଳରେ ଏକ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି। ଏହି ବାଘଟି ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଆସି ସେମିଳିଗୁଡ଼ା ରେଞ୍ଜ ଅଧୀନରେ ଚଳପ୍ରଚଳ କରୁଥିବା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ପକ୍ଷରୁ ଜାରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଖପାଖ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ସଚେତନତା ଓ ସତର୍କତା ବାର୍ତ୍ତା ପ୍ରଚାର କରାଯାଉଛି।
ଗ୍ରାମବାସୀମାନଙ୍କୁ ସତର୍କ ରହିବା, ବିପଦପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ନଯିବା ଏବଂ ବାଘକୁ ହଇରାଣ ନକରିବା କିମ୍ବା ତା’ର ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା, ତାହାର ଚଳପ୍ରଚଳ ଚିହ୍ନଟ କରିବା ଓ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ତ୍ୱରିତ ପ୍ରତିକ୍ରିୟା ଦଳ (RRT) ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।
କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ବନ ବିଭାଗ ପରିସ୍ଥିତି ଉପରେ ନିକଟରୁ ନଜର ରଖିଛି। ଜନସାଧାରଣ ବନ ବିଭାଗର କର୍ମଚାରୀଙ୍କ ପରାମର୍ଶ ମାନିବା ସହ ବାଘକୁ ଦେଖିଲେ, ତାହାର ପାଦଚିହ୍ନ କିମ୍ବା ଅସ୍ୱାଭାବିକ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ କୋରାପୁଟ ବନଖଣ୍ଡ ପକ୍ଷରୁ ଅନୁରୋଧ କରାଯାଇଛି।. କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
