ସୋର କୋର୍ଟ ମାଲଖାନାରୁ ଚୋରି ଘଟଣା। ୫ ଗିରଫ ଓ କୋର୍ଟ ଚାଲାଣ।
ସୋର:(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ମାଲଖାନା ରୁ ଚୋରି ଘଟଣାରେ ୫ ଜଣ ସୋର ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି। ଘଟଣା ମୁତାବକ ଗତ ୨ ତାରିଖ ବିଳମ୍ବିତ ରାତିରେ ସୋର କୋର୍ଟ ମାଲଖାନାରୁ ଚୋରି ଘଟଣାରେ ସୋର ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ସୋର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୨ ତାରିଖ ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ କୋର୍ଟ ମଧ୍ୟରେ ପଶି କୋର୍ଟ ପରିସରରେ ଲାଗିଥିବା ୧୨ ଟି ସିସି କ୍ୟାମେରାକୁ ଭାଙ୍ଗି ମାଲଖାନାରୁ ସୁନା, ରୁପା ଅଳଙ୍କାର,ବନ୍ଧୁକ, ବ୍ରାଉନସୁଗାର ଚୋରି କରି ନେଇ ଯାଇଥିଲେ। ସକାଳେ ଏ ବାବଦରେ ଜଣା ପଡିବା ପରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର, ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସମେତ କୋର୍ଟରେ ପହଞ୍ଚି ତଦନ୍ତ କରି ଫେରିଥିଲେ।ଏ ବାବଦରେ ସୋର ଥାନାରେ ଅଭିଯୋଗ ହେବ ପରେ ପୁଲିସ ୯୦୧/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲେ।ତେବେ ତଦନ୍ତ ସମୟରେ ପୁଲିସ ନୀଳଗିରି ଥାନା କାହାଳିଆ ଗ୍ରାମର ଭବାନୀ ଶଙ୍କର ମହଲ (୨୮), ହରପ୍ରିୟା ମହଲ (୨୯),ସୋର ଥାନା ରୁଷୋ ଗ୍ରାମର ଗହଣା ବ୍ୟବସାୟୀ କମଳାକାନ୍ତ ରଣା (୫୭), ବାଗୁଡ଼ି ଗ୍ରାମର ନିରଞ୍ଜନ ରଣା(୫୭), ତୁଡ଼ିଗଡିଆ ଗ୍ରାମର ଦାମୋଦର ବେଜ (୫୯) ଙ୍କୁ ଗିରଫ କରିଥିଲେ।ପଚରା ଉଚରା ପରେ ପୁଲିସ ସେମାନଙ୍କ ନିକଟରୁ ସୁନା, ରୁପା ଅଳଙ୍କାର,ଏକ ପିସ୍ତଲ ଏବଂ ୨୫ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଏକ ମୋଟର ସାଇକେଲ, ନଗଦ ୧୮ ହଜାର ଟଙ୍କା ପୁଲିସ ଜବତ କରିଛି।ସନ୍ଧ୍ୟାରେ ସୋର ମେଡ଼ିକାଲରେ ସମସ୍ତଙ୍କର ଡାକ୍ତରୀ ମାଇନା ପରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।ତେବେ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଏବଂ ଏସଆଇ ସାଧୁ ସିଂ ଗାଗରାଇ ଉପସ୍ଥିତ ଥିଲେ।
