ସହରକୁ ସଫା କରୁଥିବା ହାତ ଆଜି ସବୁଠାରୁ ଅସୁରକ୍ଷିତ!
ଗ୍ଲୋଭ୍ସ–ମାସ୍କ ନାହିଁ, ଦରମା ମିଳେ ବିଳମ୍ବରେ
ଯାଜପୁର ପୌରପାଳିକାର ଅବ୍ୟବସ୍ଥା!
ଯାଜପୁର(ଭଞ୍ଜଦୂତ:ନିପ୍ର):-ରିପୋର୍ଟର ସରୋଜ କୁମାର ଧଳ
ସହରକୁ ପ୍ରତିଦିନ ପରିଷ୍କାର କରି ସୁନ୍ଦର ରଖୁଥିବା ସଫେଇ କର୍ମଚାରୀମାନଙ୍କ ଦିନକୁ ଦିନ ଦୁର୍ଦ୍ଦଶା ଗାଢ଼ ହେଉଛି। ଯାଜପୁର ପୌରପାଳିକା ଅଧୀନରେ କାମ କରୁଥିବା ଠିକା ସଂସ୍ଥାମାନେ ସରକାରଙ୍କ ସ୍ପଷ୍ଟ ନିୟମକୁ ଅବହେଳା କରି ଗ୍ଲୋଭ୍ସ, ମାସ୍କ, ପ୍ରୋଟେକ୍ଟିଭ୍ କିଟ୍ ଭଳି ମୌଳିକ ସୁରକ୍ଷା ସାମଗ୍ରୀ ଦେବାରେ ସମ୍ପୁର୍ଣ୍ଣ ବିଫଳ ହେଉଛନ୍ତି। ହସ୍ପିଟାଲ ୱାଷ୍ଟ, ଦୂଷିତ ପ୍ଲାଷ୍ଟିକ, ଆବର୍ଜନା—ରୋଗଜୀବାଣୁମୟ ପରିବେଶରେ ପ୍ରତିଦିନ କାମ କରିବାକୁ ଏହି କର୍ମଚାରୀମାନେ ବାଧ୍ୟ ହେଉଛନ୍ତି।
ଜଣେ ସଫେଇ କର୍ମଚାରୀଙ୍କ ଅସନ୍ତୋଷ—
ସହରକୁ ଆମେ ସୁନ୍ଦର କରୁଛୁ, କିନ୍ତୁ ଆମ ପାଇଁ କିଏ ଭାବୁଛି?
ନିୟମ ଅନୁସାରେ ୧ରୁ ୧୦ ତାରିଖ ମଧ୍ୟରେ ଦରମା ଦେବା ଥିଲେ ମଧ୍ୟ ସଫେଇ କର୍ମଚାରୀମାନେ ମାସ ଶେଷ ପର୍ଯ୍ୟନ୍ତ ବେତନ ପାଉନାହାନ୍ତି ବୋଲି ଅଭିଯୋଗ।
ଜଣେ ମହିଳା କର୍ମଚାରୀଙ୍କ ଯନ୍ତ୍ରଣା—
ଦିନମଜୁରୀରେ ଘର ଚାଲିବ କିପରି? ହାତଖର୍ଚ୍ଚ ପର୍ଯ୍ୟନ୍ତ ନାହିଁ।
ଅଭିଯୋଗ କଲେ— ଚାକିରି ଛାଡ଼ିବାକୁ ଧମକ!
ଅବ୍ୟବସ୍ଥା ବିଷୟରେ ମୁହଁ ଖୋଲିଲେ କର୍ମଚାରୀମାନଙ୍କୁ
“ଚାକିରି ଛାଡ଼ିଦେବ” ବୋଲି ଧମକ ଦିଆଯାଉଥିବା ଗୁରୁତର ଅଭିଯୋଗ ମଧ୍ୟ ଉଠିଛି।ଏକ ଘଟଣାରେ, କର୍ମଚାରୀମାନଙ୍କ ନେତୃତ୍ୱ କରୁଥିବା ଜଣେ ସ୍ୱାମୀ–ପରିତ୍ୟକ୍ତା ମହିଳାକୁ ବଳଜୋର କରି ଚାକିରି ଛାଡ଼ାଇଦିଆଯାଇଥିବା ସୂତ୍ର ବୁଝାଇଛି।
ତିନି ଠିକା ସଂସ୍ଥା, ଅବ୍ୟବସ୍ଥା ଏକ— ଦାୟିତ୍ୱ ନିଅ କିଏ ?
ପୌରପାଳିକା ଅଧୀନରେ କାମ କରୁଥିବା ତିନିଟି ଠିକା ସଂସ୍ଥାରୁ କେହି ମଧ୍ୟ ନିୟମିତ ସୋପାନରେ ଚାଲୁନାହାନ୍ତି।
ସହରବାସୀଙ୍କ ପ୍ରଶ୍ନ—ସହରକୁ ସୁନ୍ଦର କରୁଥିବା ଲୋକମାନେ ଯଦି ଏମିତି ଅବହେଳିତ, ତେବେ ସ୍ୱଚ୍ଛତା ଯୁଦ୍ଧ କିଏ ଲଢ଼ିବ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଥିବା ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନ ଦେଇଥିଲେ।
କିନ୍ତୁ ଯାଜପୁରରେ ସେମାନେ ନିତ୍ୟ ଅନ୍ୟାୟ, ଅବହେଳା ଓ ଧମକ ର ଶିକାର।ପୌରପ୍ରଶାସନ ଚୁପ୍— ସହରବାସୀ ଅସନ୍ତୁଷ୍ଟ।
ଘଟଣା ନେଇ ପୌରପାଳିକା କୌଣସି ସ୍ପଷ୍ଟ ବ୍ୟାଖ୍ୟା ଦେଇନାହିଁ।
ସହରବାସୀଙ୍କ ଅଭିଯୋଗ—ସ୍ୱଚ୍ଛ ଭାରତର ସ୍ୱପ୍ନ ସଫେଇ କର୍ମଚାରୀଙ୍କ ସୁରକ୍ଷା ବିନା କିପରି ସମ୍ଭବ?
