ରାସ୍ତା କାର୍ଯ୍ୟ ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ ମସୁଧା ଅଭିଯୋଗ
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର) ରିପୋର୍ଟର :ସରୋଜ କୁମାର ଧଳ
ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତରେ କାର୍ଯ୍ୟ ନକରି ଏକ ରାସ୍ତା ନାମରେ ବିଲ କରାଯାଇ ଆତ୍ମସାତ କରିବା ପାଇଁ ଅଭିଯୋଗ ହୋଇଛି।ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପଞ୍ଚମ ଅର୍ଥ କମିଶନ ପାଣ୍ଠିରୁ ୨୦୨୪-୨୫ ଆର୍ଥିକ ବର୍ଷରେ ଘଣ୍ଟିଆଳି ଗ୍ରାପ ର ରମାକାନ୍ତ ସୁତାରଙ୍କ ଘରଠାରୁ ନିମାଇଁ ଧଳଙ୍କ ଘର ପର୍ୟ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ୨ଲକ୍ଷ ଅଣସ୍ତରୀ ହଜାର ଆଠଶହ ବାଉନଟଙ୍କା ବିଞ୍ଝାରପୁର ବ୍ଲକ ତରଫରୁ ବ୍ୟୟବରାଦ କରାଯାଇଥିଲା। ଏବଂ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ତା୨୮-୫-୨୫ ରିଖରେ ଆରମ୍ଭ ହୋଇ ତା ୨୫-୮-୨୫ ରିଖରେ ଶେଷ ହୋଇଥିବା ଓ ଏହି ରାସ୍ତାର ମାପ ଓ ପରିମାଣ ବ୍ଲକର ସହକାରୀଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା କରାଯାଇ ବିଲ ପ୍ରସ୍ତୁତ ହୋଇ ଥିବା ସରକାରୀ କାଗଜପତ୍ର ଯାଞ୍ଚ ରୁ ଜଣାପଡିଛି।କିନ୍ତୁ ବାସ୍ତବରେ ଘଣ୍ଟିଆଳି ଗ୍ରା ପ ୧୨ ନମ୍ବର ୱାର୍ଡ ରମାକାନ୍ତ ସ୍ଵତାର ଘରଠାରୁ ନିମାଇଁ ଧଳଙ୍କ ଘର ପର୍ଯ୍ୟନ୍ତ କୌଣସି ରାସ୍ତା ନିର୍ମାଣ କରା ନ ଯାଇ କାଗଜ ପତ୍ରରେ ମିଥ୍ୟା ବିଲ କରି ସମୁଦାୟ ଅର୍ଥକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଓ ବ୍ଲକ ପ୍ରଶାସନ ସଲାସୁତୁରାରେ ଆତ୍ମସାତ କରିବାପାଇଁ ଉଦ୍ୟମ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ରାସ୍ତା ନିର୍ମାଣ କରା ନ ଯାଇ କାଗଜ ପତ୍ରରେ ଲକ୍ଷାଧିକ ଟଙ୍କାର ବିଲ ପ୍ରଶାସନ କିପରି ପସ୍ତୁତ କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ଅର୍ଥ ଆତ୍ମସାତ ପାଇଁ ମସୁଧା ହେଉଥିବା ଜଣାପଡିବା ପରେ ସ୍ଥାନିୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହ ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବିଞ୍ଝାରପୁର ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ରାସ୍ତା ନିର୍ମାଣ ନ କରି ଅର୍ଥ ଆତ୍ମସାତ ଘଟଣା ସମ୍ପର୍କରେ ବିଡିଓ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଏ ସମ୍ପର୍କରେ ଅଭିଯୋଗ ପାଉଛି।ଏଥି ସକାଶେ ସହକାରୀ ଯନ୍ତ୍ରୀଙ୍କୁ ଆସନ୍ତା ସୋମବାର ସୁଦ୍ଧା ଏହି ରାସ୍ତା କାର୍ଯ୍ୟର ତଦନ୍ତ କରି ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଡିଓ ଶ୍ରୀ ସାମଲ କହିଛନ୍ତି । ଏଠି ପ୍ରଶ୍ନଉଠେ ଯେ ଯେଉଁ ବ୍ଲକ ସହକାରୀଯନ୍ତ୍ରୀ ରାସ୍ତା ନିର୍ମାଣ କରା ନ ଯାଇ ମିଥ୍ୟା ବିଲ ପ୍ରସ୍ତୁତ କରିସାରିଛନ୍ତି । ସେ ରାସ୍ତା କାର୍ଯ୍ୟର ତଦନ୍ତ କରି କି ତଥ୍ୟ ଦେବେ ତାହା ଦେଖିବାକୁ ରହିଲା ।
