ଯାଜପୁର ଜିଲ୍ଲାପାଳଙ୍କ ସୁକିନ୍ଦା ଏବଂ ଦାନଗଦି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ |
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସୁକିନ୍ଦା ଏବଂ ଦାନଗଦି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ।
ଜିଲ୍ଲାପାଳ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଚିକିତ୍ସାଧୀନ ରୋଗୀଙ୍କୁ ଭେଟିବା ସହ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ।
ପରେ ସୁକିନ୍ଦା ସ୍ଥିତ ଆମ ଘର ଶିଶୁ ଯତ୍ନ କେନ୍ଦ୍ର ବୁଲି ଦେଖିଥିଲେ, ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ପରେ ଚିଙ୍ଗୁଡ଼ିପାଳ ସ୍ଥିତ ଆଶ୍ରମ ବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଯାଉଥିବା ପାଠ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ।
ଚିଙ୍ଗୁଡ଼ିପାଳ ଆଦିବାସୀ ଛାତ୍ରୀ ନିବାସର ସ୍ଥିତିର ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ଶ୍ରୀ କର ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ।
ପରିଶେଷରେ ଦେଓଗାଁ ସ୍ଥିତ ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲର ସମସ୍ତ ସ୍ଥିତିର ଅନୁଧ୍ୟାନ କରିବା ପରେ ଏହାକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି ଗସ୍ତ କାଳରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଡ଼ିଓ ଦାନଗଦି ଓ ସୁକିନ୍ଦା, ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ।
