ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ” ଓଡ଼ିଶା ନନ୍ ଗମେଣ୍ଟ ଲେକ୍ଚରର୍ ଏଣ୍ଡ ଏମ୍ପେ୍ଲାଇଜ୍ ଆସୋସିଏସନ୍” ପକ୍ଷରୁ ୨୦୦୮ ରୁ ୨୦୨୫ ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଅଧ୍ୟାପକ କର୍ମଚାରୀଙ୍କୁ ସରକାରୀ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ଦାବିରେ ସଂଙ୍ଘର ସଭାପତି ଗୋପୀନାଥ ଘଡେ଼ଇ ଙ୍କ ସଭାପତିତ୍ୱରେ ସୋର କଲେଜ୍ ଛକ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଓଡ଼ିଶାରେ ବିଭିନ୍ନ କଲେଜ ମାନଙ୍କରେ ଏହି ସମୟ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ହୋଇଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ଆଧାରରେ ସରକାର ଏକ ନୂତନ ପଲିସି ମାଧ୍ୟମରେ ପୂର୍ଣ୍ଣ ସରକାରୀ ଅନୁଦାନଭୁକ୍ତ କରନ୍ତୁ ବୋଲି ଦାବି ହୋଇଛି ।ଉକ୍ତ ସଂଘ ଏହି ସମ୍ପର୍କରେ ଗତ ନଭେମ୍ବର ମାସ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସହ ଜନଶୁଣାଣୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିଛନ୍ତି ବୋଲି କହିଛନ୍ତି ।ସ୍ୱଳ୍ପ ବେତନରେ ଏକ ଦଶନ୍ଧିଠାରୁ ଅଧିକ ସମୟ ସରକାରଙ୍କ ପ୍ରତ୍ୟେକ ନ୍ୟସ୍ତ କାର୍ଯ୍ୟ ଯଥା ଶ୍ରେଣୀ ଗୃହ କ୍ଲାସ୍ ଛାଡ଼ି,ଖାତା ମୂଲ୍ୟାଙ୍କନ,ନିର୍ବାଚନ ଡିଉଟି,ମହାବିଦ୍ୟାଳୟରେ ପ୍ରଶାସନିକ,କ୍ରୀଡା,ସାଂସ୍କୃତିକ କାର୍ଯ୍ୟ ବିନା କୌଣସି ଦ୍ୱିଧାରେ କରି ଆସୁଥିବା ବେଳେ ସରକାର କିନ୍ତୁ ତାଙ୍କ କଥା ବିଚାର ନକରିବା ଦୁଃଖଦ ଘଟଣା ବୋଲି ମତ ପ୍ରକାଶ କରିଛନ୍ତି । ସରକାର ଆଗାମୀ ୧୫ ଦିନ ମଧ୍ୟରେ ଦାବି ସପକ୍ଷରେ ଆଲୋଚନା ନକଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ଏବଂ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପସଭାପତି ନରେନ୍ଦ୍ର କୁମାର ମହାଳିକ,ସମ୍ପାଦକ ସବିତା ବାରିକ , ସହ ସମ୍ପାଦକ ଅଭିଳାଷ ନାୟକ, ମଧୁସ୍ମିତା ପାଣିଗ୍ରାହୀ, ପ୍ରଜ୍ଞା ପରମିତା ଦୀକ୍ଷିତ , ସୃତି ରଞ୍ଜନ ପ୍ରଧାନ ଓ ଜୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
