**ନୂଆପଡ଼ାରେ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନ: ୪ ଟନ୍ ବର୍ଜ୍ୟ ଅପସାରଣ ସହ ୧୨୯ କେଜି ଜବତ*
ନୂଆପଡ଼ା(ମିଖାଏଲ ନନ୍ଦ),
ତା-୪ ଜୁଲାଇ :
ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଦୂରଦର୍ଶୀ ନେତୃତ୍ୱ ଓ ପରିବେଶ ସୁରକ୍ଷା, ପରିବେଶ-ଅନୁକୂଳ ଜୀବନଶୈଳୀ ଏବଂ ଜୀବିକା ସୃଷ୍ଟିକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନ ଅଧୀନରେ ପ୍ରତି ଶନିବାର ପାଳିତ ହେଉଥିବା ଜିଲ୍ଲା ସ୍ୱଚ୍ଛତା ଦିବସ ଅବସରରେ ଆଜି ସମଗ୍ର ଜିଲ୍ଲାରେ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଆଜି ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ଓ ସାର୍ବଜନୀନ ସ୍ଥାନରେ ୮ଟି ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଦଳ, ସମ୍ପୃକ୍ତ ବ୍ଲକ୍ ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଟିମ୍ଙ୍କ ସହଯୋଗରେ ବ୍ୟାପକ ସଫେଇ ଅଭିଯାନ ଚଳାଇଥିଲେ। ଏହି ଅଭିଯାନରେ ପ୍ରାୟ ୪ ଟନ୍ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଯଥାବିଧି ପରିଚାଳନା ପାଇଁ ପଠାଯାଇଛି।ସ୍ୱଚ୍ଛତା ଅଭିଯାନ ସହିତ ଏହି ଅବସରରେ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧରେ କଡ଼ା ପ୍ରବର୍ତ୍ତନମୂଳକ ଯାଞ୍ଚ ମଧ୍ୟ କରାଯାଇଥିଲା। ଏଥିରେ ନୂଆପଡ଼ାର ସହରାଞ୍ଚଳରୁ ୨୪ କେଜି ଏବଂ ଗ୍ରାମାଞ୍ଚଳରୁ ୧୦୫ କେଜି, ମୋଟ ୧୨୯ କେଜି ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି। ସେହିପରି ସହରାଞ୍ଚଳରେ ୭,୭୦୦ ଟଙ୍କା ଓ ଗ୍ରାମାଞ୍ଚଳରେ ୪୧,୨୦୦ ଟଙ୍କା, ମୋଟ ୪୮,୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ନିୟମ ଉଲ୍ଲଂଘନକାରୀମାନଙ୍କଠାରୁ ଭବିଷ୍ୟତରେ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଲିଖିତ ପ୍ରତିଶ୍ରୁତିପତ୍ର ମଧ୍ୟ ଗ୍ରହଣ କରାଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଧରିଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କ୍ଷ୍ୟାମନିଧି ଭୋଇ, ଗ୍ରାମ୍ୟ ଜଳଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସାହୁ, ସମବାୟ ଉପନିବନ୍ଧକ ଶ୍ରୀ ଶିବ ପ୍ରସାଦ ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଶଶାଙ୍କ ଶେଖର ଶୁକ୍ଳା ଏବଂ ଆର୍.ଏମ୍.ସି. ସମ୍ପାଦକ ଶ୍ରୀ ଆର୍ଯ୍ୟ କୁମାର ମୁଦୁଲି ନିଜ ନିଜ ଜିଲ୍ଲାସ୍ତରୀୟ ଦଳର ନେତୃତ୍ୱ ନେଇଥିଲେ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଜିଲ୍ଲାବାସୀଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ଭାବେ ପରିହାର କରି କପଡ଼ା ଓ ଅନ୍ୟାନ୍ୟ ପରିବେଶବନ୍ଧବ ବିକଳ୍ପ ଆପଣାଇବାକୁ ଆହ୍ୱାନ ଜଣାଇଛନ୍ତି। ସମସ୍ତଙ୍କ ସହଭାଗିତା ଦ୍ୱାରା ହିଁ ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଛନ୍ତି।
