ପ୍ରସାର ପ୍ରଚାର ଅଭାବରୁ ଫିକା ପଡୁଛି ଗ୍ରାମସଭା
ଦଶରଥପୁର/(ଭଞ୍ଜଦୂତ ଖବର:ନିପ୍ର)ରିପୋର୍ଟର:-ମାନସ କୁମାର ସାହୁ
ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ନାମରେ ଗାଁ ର ଉନ୍ନତି କରିବାକୁ ଚେଷ୍ଟା କରୁଛନ୍ତି. ଏହି ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ଆବଶ୍ୟକତା ଶୁଣିବା ସହ ସମାଧାନ କରିପାରିବେ. ପଞ୍ଚାୟତ ଗୁଡ଼ିକରେ ହେଉଥିବା ଗ୍ରାମସଭାରେ ଯେଉଁସବୁ ପ୍ରକଳ୍ପ ସାମିଲ ହେବ ତାହା ପରିପୂର୍ଣ୍ଣ କରିବାକୁ ଆଗଭର ହେବେ ସରକାର. ସ୍ଵତନ୍ତ୍ର ଗ୍ରାମସଭା ଗୁଡ଼ିକରେ ପଞ୍ଚାୟତବାସୀ ଉପସ୍ଥିତ ରହି ସେମାନଙ୍କର ଅଭାବ ଅସୁବିଧା ଓ ପ୍ରତିକାର ପାଇଁ ପ୍ରସ୍ତାବ ଦେବେ. ପ୍ରଶାସନ ପକ୍ଷରୁ ସଚ଼େତନତା ସୃଷ୍ଟି ସହ ଅଧିକରୁ ଅଧିକ ଜନସାଧାରଣ ଗ୍ରାମସଭାରେ ଉପସ୍ଥିତ ରହି ସେମାନଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ସରକାର ସ୍ଥିର କରିଛନ୍ତି. ବାସ୍ତବ କ୍ଷେତ୍ରରେ ଏହା ସଫଳ ରୂପାୟନ ହୋଇପାରୁ ନାହିଁ. ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପ୍ରତ୍ୟେକ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି. ମାତ୍ର ଦଶରଥପୁର ବ୍ଲକ ଅନ୍ତର୍ଗତ ଏକାଧିକ ପଞ୍ଚାୟତ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଲୋକଙ୍କ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା. ପଞ୍ଚାୟତ ପକ୍ଷରୁ ଏନେଇ ପ୍ରଚାର ପ୍ରସାର ସଠିକ୍ ଢଙ୍ଗରେ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ଜନସାଧାରଣ. ଜନସାଧାରଣଙ୍କୁ ଗ୍ରାମସଭା କଣ କିପରୀ ହୁଏ ବୋଲି ଜାଣି ପାରୁ ନାହାନ୍ତି. ସରପଞ୍ଚମାନଙ୍କ ଆନ୍ତରିକତା ଅଭାବରୁ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାମାନ ପ୍ରଚାର ପ୍ରସାର ହୋଇ ପାରୁ ନାହିଁ. ସରପଞ୍ଚଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ଦାୟିତ୍ୱରେ ଥିବା ପିଅନ ମାଧ୍ୟମରେ ଜନସାଧାରଣଙ୍କ କିଛି ଦସ୍ତଖତ କରାଇ ଦାୟିତ୍ୱ ସାରି ଦେଉଛନ୍ତି. ଗ୍ରାମସଭାରେ ଆଲୋଚିତ ମହତ ଯୋଜନା ସବୁ ଗ୍ରାମ ର ଲୋକମାନେ ଜାଣି ପାରୁ ନାହାନ୍ତି. ବାସ୍ତବତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଉଥିବା ଗ୍ରାମସଭାକୁ ସଠିକ୍ ଢଙ୍ଗର ଆୟୋଜନ କରାଇଲେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ବୁଦ୍ଧିଜୀବି ମାନେ ମତ ରଖିଛନ୍ତି. ସରକାରଙ୍କ ମହତ ଯୋଜନା ସବୁ ସଫଳ ରୂପାୟନ ପାଇଁ ଗ୍ରାମର ଲୋକମାନେ ଅବଗତ ହେବା ଜରୁରୀ. ଗୋପନୀୟତା ଭାବେ ଗ୍ରାମସଭା କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ବାରମ୍ଵାର ଅଭିଯୋଗ କରିଆସୁଛନ୍ତି. ବାସ୍ତବରେ ଜନସଚେତନତା ସୃଷ୍ଟି ହେଲେ ଗ୍ରାମର ସମସ୍ୟା ପ୍ରତିଫଳିତ ହୋଇପାରନ୍ତା. ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି.
