ପୋଲିସର ନିଷ୍କ୍ରିୟତା, ଚୋରର ସାହାସିକତା:ଗର୍ଭବତୀ ମହିଳାଙ୍କୁ ମାଡ଼ ମାରି ଗହଣା ଓ ଟଙ୍କା ଲୁଟ
ସୋର(ଭଞ୍ଜଦୂତ, ନିପ୍ର): ସୋର ପୋଲିସ ସୋରବାସୀଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ହେବାରେଲାଗିଛି। ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଏହି ଘଟଣାରୁ। କିଛିଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ହାତଗୋଡ ବନ୍ଧା ଲୁଟେରାଙ୍କ ଦୌରାତ୍ମ୍ୟ। ପୁଲିସର ନିଷ୍କ୍ରିୟତା ପାଇଁ ପ୍ରାୟ ପ୍ରତିଦିନ ସୋରର ବିଭିନ୍ନ ଅଞ୍ଚଳରୁ ଚୋରି ହେଉଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଗତ ଦୁଇଦିନ ତଳେ ଜାତୀୟ ରାଜପଥରୁ ଦୁର୍ବୁତ୍ତ ମାନେ ମାଡ଼ ମାରି ଡ୍ରାଇଭର ପାଖରୁ ଗାଡି ଚୋରାଇନେଇଥିବା ବେଳେ ଗତକାଲି ରାତିରେ ଟେଣ୍ଟେଇ ପଂଚାୟତର ବିରିପଡା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ହାତଗୋଡ ବାନ୍ଧି ମାଡ଼ ମାରି ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଛନ୍ତି। ଗତକାଲି ରାତିରେ ଚାରିଜଣ ଦୁର୍ବୁତ୍ତ ପଲିଥିନ ଚିରି ଘର ଭିତରକୁ ପଶିଥିଲେ। ପରେ ଅହଲ୍ୟାଙ୍କ ଗର୍ଭବତୀ ଝିଅକୁ ମାଡ଼ ମାରିବା ସହିତ ପରିବାରର ୩ଜଣଙ୍କୁ ହାତଗୋଡ ବାନ୍ଧିଥିଲେ। ଘରେ ଥିବା ୫୦ ହଜାରରୁ ଅଧିକ ଟଙ୍କାର ଗହଣା ଓ ନଗଦ ୧୪ ହଜାର ଟଙ୍କା ଲୁଟିନେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଥିବା ରଶ୍ମିତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେହିପରି ଉକ୍ତ ଗ୍ରାମର ଚକ୍ରଧର ବେହେରା ଦୁଇମାସ ହେବ ବେଂଗୁଲୁରରେ ଥିବା ପୁଅ ପାଖକୁ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କ ଘରର ଝରକା ଭାଙ୍ଗି ସୁନା ଓ ନଗଦ ଟଙ୍କା ଲୁଟିନେଇଥିଲେ। ଏ ବାବଦରେ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋରରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପୁଲିସର ନିଷ୍କ୍ରିୟତା ପାଇଁ ଅପରାଧି ମାନେ ପୁଲିସକୁ ଭୟ ନକରି ବାରମ୍ବାର ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଫଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଥାନାଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଦାବି ହୋଇଛି।
