ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଗବେଷଣା ବିକାଶ ନେଇ କୁଳପତିଙ୍କ ସହ ଆଲୋଚନା
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ଡ. ପବନ କୁମାର ଅଗ୍ରୱାଲଙ୍କ ସହ ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ନେଇ ଆଲୋଚନା କରିବାର ସୁଯୋଗ ମିଳିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଗବେଷଣା କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ମତବିନିମୟ ହୋଇଥିଲା।
ଡ. ପବନ କୁମାର ଅଗ୍ରୱାଲ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ୨ ଜାନୁଆରୀ ୧୯୬୪ରେ ଜନ୍ମଗ୍ରହଣ କରିଛନ୍ତି। ସେ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ୧୯୮୫ରେ ବି.ଏସ୍ସି. (କୃଷି) ଏବଂ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଲୁଧିଆନାରୁ ଉଦ୍ଭିଦ ପ୍ରଜନନ ବିଜ୍ଞାନରେ ୧୯୮୯ରେ ଏମ୍.ଏସ୍ସି. ଏବଂ ୧୯୯୪ରେ ପିଏଚ୍.ଡି. ଡିଗ୍ରୀ ହାସଲ କରିଛନ୍ତି।
ସେ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ପୂର୍ବତନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ (ICAR) ଅଧୀନରେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ବୈଜ୍ଞାନିକ, ବରିଷ୍ଠ ବୈଜ୍ଞାନିକ, ପ୍ରଧାନ ବୈଜ୍ଞାନିକ ଓ ବିଭାଗୀୟ ମୁଖ୍ୟ ଭାବେ ସେ ଦୀର୍ଘ ସମୟ କାର୍ଯ୍ୟ କରିଛନ୍ତି। ଏହା ସହିତ ICAR ମୁଖ୍ୟାଳୟ, ନୂଆଦିଲ୍ଲୀରେ Assistant Director General (NASF) ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।
ଡ. ଅଗ୍ରୱାଲଙ୍କ ଗବେଷଣାର ପ୍ରମୁଖ କ୍ଷେତ୍ର ହେଉଛି ଫସଲର ଅଣୁସ୍ତରୀୟ ଓ ପାରମ୍ପରିକ ପ୍ରଜନନ ବିଜ୍ଞାନ (Molecular and Conventional Breeding in Crops)। କୃଷି ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ ଅବଦାନ ପାଇଁ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ଏବଂ ଫେଲୋସିପ୍ରେ ସମ୍ମାନିତ ହୋଇଛନ୍ତି।
ତାଙ୍କର ଅଭିଜ୍ଞତା ଓ ଗବେଷଣାମୂଳକ ଦୃଷ୍ଟିକୋଣ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭବିଷ୍ୟତ ବିକାଶ, ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଉପଯୋଗୀ ହେବ ବୋଲି ଆଲୋଚନା ସମୟରେ ଆଶା ପ୍ରକାଶ କରାଯାଇଥିଲା।
