ହରଭଙ୍ଗା (କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗଗୁଡିକର ସମାଧାନ କରିଥିଲେ l ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ବିଭିନ୍ନ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟା ନେଇ ଜନସାଧାରଣ ଶିବିରକୁ ଆସିଥିଲେ l ଶିବିରରେ ସମୁଦାୟ ୧୦୯ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ୧୦୨ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୭ଟି ସାମୁହିକ ଅଭିଯୋଗ ଆସିଥିଲା l ୪୭ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା l ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ୩ ଜଣଙ୍କୁ ରେଡ଼କ୍ରସ ଫଣ୍ଡରୁ ୨୦,୦୦୦/- ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା l ଉକ୍ତ ଶିବିରରେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ୟା ସମାଧାନରେ ସହଯୋଗ କରିଥିଲେ l
