ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଦ୍ୟାଳୟ ସମୂହର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତିମାସରେ ସମ୍ବର୍ଦ୍ଧିତ ହେବେ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଓ ଅଭିଭାବକ।ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ ହାଇସ୍କୁଲ ଏବଂ ହାୟର ସେେଣ୍ଡାରୀ ସ୍କୁଲ୍ ର ଅଧ୍ୟକ୍ଷ, ଶିକ୍ଷକ , ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ଏହି ବିଭାଗର ବିଦ୍ୟାଳୟ ସବୁ ଆବାସିକ ହୋଇଥିବାରୁ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଉତ୍ତମ ପାଠ ପଢା ସହିତ ସୁରକ୍ଷା ଉପରେ ଗୁରୁତ୍ବ ଦେବେ l ଡ୍ରପ ଆଉଟ୍ ହାର ଶୂନ୍ୟ କରିବା ପାଇଁ ପ୍ରଯତ୍ନ କରିବେ l ପ୍ରତି ମାସିକ ପରୀକ୍ଷାରେ ୮,୯, ୧୦, ୧୧ ଓ ୧୨ ଶ୍ରେଣୀର ଯେଉଁ ପିଲା ମାନେ ପ୍ରଥମ ହେବେ ସେହି ମାନଙ୍କୁ ଏବଂ ତାଙ୍କର ଅବିଭାବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ l ଏହାଦ୍ବାରା ଅନ୍ୟ ପିଲାମାନେ ପ୍ରେରଣା ଲାଭ କରି ଭଲ ପ୍ରଦର୍ଶନ ପାଇଁ ଚେଷ୍ଟିତ ହେବେ l ଛାତ୍ର ଛାତ୍ରୀ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହିତ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଚେଷ୍ଟା କରିବେ l ସେମାନଙ୍କ ନିରାପତ୍ତା କୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନେ ବାହାରେ ଗାଧୋଇବେ ନାହିଁ, ଗଛ ଚଢ଼ିବେ ନାହିଁ, ବିଜୁଳି ସଂଯୋଗ ରେ ଆସିବେ ନାହିଁ କିମ୍ବା ସାପ ଓ ବିଷାକ୍ତ କୀଟ ସଂସ୍ପର୍ଶରେ ଆସିବେ ନାହିଁ l ଦେହ ଅସୁସ୍ଥ ହେଲେ ଅତିଶୀଘ୍ର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ l ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ , ଶିକ୍ଷୟତ୍ରୀ ଉଦ୍ୟମ କରି ଏବର୍ଷ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ ବୋର୍ଡ ପରୀକ୍ଷାରେ ଗତ ବର୍ଷ ଅପେକ୍ଷା ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଚେଷ୍ଟା କରିବେ l ଏହି ଅବସରରେ ବିଭାଗ ଦ୍ବାରା ପରିଚାଳିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧୋବେଇ ର ଶିକ୍ଷକ ସୁଶିଲ କୁମାର୍ ପତି ଙ୍କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ହିସାବରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଶ୍ରେଷ୍ଠ ପାକଶାଳା ବଗିଚା ସୃଷ୍ଟି କରିଥିବା ସିଆଲଟି ହାଇସ୍କୁଲ୍ ଏବଂ ସର୍ବୋଚ୍ଚ ଉପସ୍ଥାନ ରହିଥିବା ନେହେନା ଆଶ୍ରମ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
