ହରଭଙ୍ଗା (କୃଷ୍ଣଚନ୍ଦ୍ର ସିଂହ) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତ ୨୧୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୫ଟି ବ୍ୟକ୍ତିଗତ ଓ ୧୭ଟି ସାମୁହିକ ଅଭିଯୋଗ ଆସିଥିଲା l ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ପି ଡ଼ି ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା ଉପସ୍ଥିତ ରହି ବିଭିନ୍ନ ଅଭିଯୋଗକୁ ସମାଧାନ ପାଇଁ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଅଭିଯୋଗକୁ ସମାଧାନ କରିଥିଲେ l ଅନ୍ୟ ପଟେ ପ୍ରାଣୀ ବିଭାଗ ପକ୍ଷରୁ ୧୮ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ସେପଟେ ସମୁଦାୟ ଅଭିଯୋଗରୁ ୫୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି l ଅଭିଯୋଗ ଶୁଣାଣୀରେ ବିଭିନ୍ନ ରୋଗ ପରୀକ୍ଷା ସହ ନିରାକରଣ ପାଇଁ ଔଷଧ ବଣ୍ଟନ କରାଯାଇଥିବା ବେଳେ ବ୍ଲକ ଓ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l
