୯ମାସ ହେଲାଣି ବାତ୍ୟା ଆଶ୍ରୟସ୍ଥଳୀରେ ପଢୁଛନ୍ତି ଇନ୍ଦିପୁର ବିଦ୍ୟାଳୟର ଛାତ୍ରଛାତ୍ରୀ
ଶିକ୍ଷା ବ୍ୟବସ୍ଥାର ବିରଳ ଚିତ୍ର ଠାରୁ ମୁହଁ ମୋଡିଲେଣି ଅଭିଭାବକ
ବିଦ୍ୟାଳୟ ଗୃହନିର୍ମାଣ ପାଇଁ ବିଧାୟକ ପ୍ରତିଶୃତି ଦେଇ ଭୁଲିଗଲେ ।
ଡେଲାଙ୍ଗ (ଚିତ୍ତରଞ୍ଜନ ଜେନା) : ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଉନ୍ନତିକରଣ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତଥାପି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶରେ ସୁଧାର ହୋଇପାରୁନାହିଁ । ଡେଲାଙ୍ଗ ବ୍ଲକର ଅଭୟମୁଖି ପଞ୍ଚାୟତ ଅଧିନ ଇନ୍ଦିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହାର ଜ୍ଜଳନ୍ତ ଉଦାହରଣ । ଏହି ବିଦ୍ୟାଳୟରେ ମୋଟ୯୭ ଜଣ ଛାତ୍ରଛାତ୍ରି ପାଠ ପଢୁଥିବା ବେଳେ ୬ଷ୍ଟ,୭ମ ଓ ୮ମ ଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ ଥିବା ବେଳେ ଜଣେ କ୍ରୀଡା ଶିକ୍ଷକ ଓ ଅନ୍ୟଜଣେ ସହକାରୀ ଶିକ୍ଷୟତ୍ରୀ ଡେପୁଟେସନରେ ପାଠପଢାଉଛନ୍ତି । ସରକାର ସୁରକ୍ଷିତ ଛାତଘରେ ପିଲାମାନଙ୍କୁ ପାଠପଢା ଓ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ବୋଲି ଡିଡିମ ପିଟୁଛନ୍ତି । ହେଲେ ଇନ୍ଦିପୁର ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ବିଦ୍ୟାଳୟ ଛାତଘର ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଏହା ଏବେ ଅସୁରକ୍ଷିତ ହୋଇପଡିଛି । ଯାହା ଫଳରେ ଆଜକୁ ୯ ହେଲାଣି ଛାତ୍ରଛାତ୍ରୀ ବିଦ୍ୟାଳୟ ପରିବର୍ତ୍ତେ ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢୁଥିବାର କରୁଣ ଚିତ୍ର ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ଯୁଦ୍ଧକାଳିନ ଭିତ୍ତିରେ ବିଦ୍ୟାଳୟ ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ ।ହେଲେ ଇତିମଧ୍ୟରେ ୯ମାସ ବିତିଯାଇଥିଲେ ମଧ୍ୟ ପିଲାମାନଙ୍କ ସମସ୍ୟା ସୁଧୁରିଲାନି । ସୂଚନା ଥାଉକି ବିଦ୍ୟାଳୟରେ ପାଠପଢା ସମୟରେ ଛାତରୁ, କାନ୍ଥରୁ ଓ ଖୁଂଟିରୁ ଢଳେଇ ଅତଡା ଖସୁଥିଲା । ବର୍ଷାଦିନେ ଛାତରୁ ପାଣି ମଧ୍ୟ ଝରୁଥିଲା । କୋମଳମତୀ ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ପରିଚାଳନା କମିଟି ଓ ଶିକ୍ଷକମାନେ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବାରୁ ଅସ୍ଥାୟୀ ଭାବେ ବାତ୍ୟା ଆଶ୍ରୟସ୍ଥଳୀରେ ପିଲାଙ୍କୁ ପାଠପଢିବାକୁ ସ୍ଥାନାନ୍ତର କରାଯାଇଥିଲା । ଯାହା ଫଳରେ ଶିକ୍ଷା ବ୍ୟବସ୍ଥାର ଏହି ବିରଳ ଚିତ୍ର ଠାରୁ ଅଭିଭାବକମାନେ ନାପସନ୍ଦ କରିବା ସହିତ ଏହି ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ମୁହଁ ମୋଡି ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କଲେଣି । ଗତ ଫେବୃୟାରୀ ମାସରେ ବାତ୍ୟାଆଶ୍ରୟ ସ୍ଥଳ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାବେଶରେ ବିଧାୟକ ଆଶ୍ରୀତ ପଟ୍ଟନାୟକ ଯୋଗଦେଇ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ନୂତନ ଶ୍ରେଣୀ ଗୃହ ନିର୍ମାଣର ପ୍ରତିଶୃତି ଦେଇଥିଲେ । ଯାହାଫଳରେ ବିଦ୍ୟାଳୟର ସମସ୍ତ ସାମଗ୍ରୀ ଗୁଡିକ ଆଶ୍ରୟସ୍ଥଳୀକୁ ସ୍ଥାନାନାନ୍ତର କରାଯାଇଥିଲା ।ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଦାନ ନହେବାରୁ ଅଭିଭାବକମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।ଏହି ସମସ୍ୟା ନେଇ ବ୍ଲକ ଶିକ୍ଷାଧିକାରୀ, ପୁରୀ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରିଥିଲେ । ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନିରିକ୍ଷକ ବିଦ୍ୟାଳୟ ଠାରୁ ଅନତି ଦୁରରେ ଥିବା ଗ୍ରାମର ଏକ ସରକାରୀ ଜମିକୁ ଚିହ୍ନଟ କରିଥିବା ବେଳେ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଥିଲା । ହେଲେ ଗତ କିଛି ମାସ ହେବ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲ।। ଏବେ ପରିଚାଳନା କମିଟି ଓ ଅଭିଭାବକମାନେ ପୁନଶ୍ଚ ନୂତନ ତହସିଲଦାରଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ଗୁହାରୀ କରିଥିଲେ । ତହସିଲଦାର ପୁନର୍ବାର ନୂତନ ରାଜସ୍ୱ ନିରିକ୍ଷକ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଜିଲା ପ୍ରଶାସନଙ୍କୁ ନୂତନ ଚିଠି କରିବାକୁ ପରାମର୍ଶ ଦେଇଥିଲେ । ଗତ ଜୁନ ମାସ ୨୩ ତାରିଖରେ ଜିଲା ପ୍ରଶାସନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଭାବକ ସଞ୍ଜୟ କୁମାର ପ୍ରଧାନ,ଜ୍ୟୋତ୍ରୀମୟୀ ସେନାପତି, ରମେଶ ପରିଡା, ନିର୍ମଳ ସାହୁ, ସବିତା ସେନାପତି, ସନ୍ତୋଷ ନାୟକ, ସାଗର ସାହୁ ଇଶ୍ୱର ସାହୁ ପ୍ରମୁଖଙ୍କ ସମେତ ଅଭିଭାବକ ମଣ୍ଡଳି ଅଭିଯୋଗ କରିଛନ୍ତି । ବାତ୍ୟା ଆଶ୍ରସ୍ଥଳୀ ଭଳି ଗୋଟିଏ ନିକାଂଚନ ଖୋଲା ସ୍ଥାନରେ ସନ୍ଧ୍ୟା ହେଲେ ନିଶାଡିଙ୍କ ଆଡ୍ଡା ଜମିମା ସହିତ ପରିସରକୁ ଅପରିସ୍କାର କରୁଛନ୍ତି । ସକାଳୁ ଏଣେତେଣେ ପଡିଥିବା ବିଭିନ୍ନ ମାଦକ ଦ୍ରବ୍ୟ ଗୁଡିକର ଆବର୍ଜନା ସଫା କରାଯାଉଥିବା ବେଳେ ପିଲାଙ୍କ ମାନସିକତା ଉପରେ କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି । ତୁରନ୍ତ କୋମଳମତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟାଳୟ ଗୃହନିର୍ମାଣ କରିବା ପାଇଁ ଅଭିଭାବକମାନେ ଦାବୀକରିଛନ୍ତି ।
