ୟୁନିସେଫ ଆୱାର୍ଡ ପାଇଲା ରେଡିଓ ଆଉଟରିଚ୍
ରେଡିଓ ଆଉଟରିଚ୍କୁ ନିପୁଣ ଓଡିଶା କାର୍ଯ୍ୟକ୍ରମର ବେଷ୍ଟ ପରଫର୍ମର ଆୱାର୍ଡ
ତିର୍ତୋଲ , ରାଜ୍ୟର ଅନ୍ୟତମ ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଆଉଟରିଚ୍କୁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ନିପୁଣ ଓଡିଶା’ର ପ୍ରସାରଣ ପାଇଁ ୟଙ୍ଗ ଇଣ୍ଡିଆ ଓ ୟୁନିସେଫ ପକ୍ଷରୁ ଆୱାର୍ଡ ପ୍ରଦାନ କରାଯାଇଛି ।ରାଜ୍ୟର ୨୦ଟି କମ୍ୟୁନିଟି ରେଡିଓରୁ ଏହି କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିବା ବେଳେ ରେଡିଓ ଆଉଟରିଚ୍କୁ ବେଷ୍ଟ ପରଫର୍ମର ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା। ରେଡିଓ ଆଉଟରିଚ ପକ୍ଷରୁ ପ୍ରୋଗ୍ରାମ ଏଗଜିକ୍ୟୁଟିଭ ସ୍ମୃତି ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ମାନ ଗ୍ରହଣ କରିଥିଲେ. କାର୍ଯ୍ୟକ୍ରମରେ ୟୁନିସେଫର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ୟଙ୍ଗ ଇଣ୍ଡିଆର ପ୍ରତିଷ୍ଠାତା ଏନ୍.ଏ.ଶାହଃ ଅନସାରୀ ଯୋଗଦେଇଥିଲେ ।
ରେଡିଓ ଆଉଟରିଚ ପକ୍ଷରୁ ଦୀର୍ଘ ଦୁଇ ମାସ ଧରି ନିପୁଣ ଓଡିଶା କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା। ଶିଶୁମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ରେଡିଓ ଆଉଟରିଚ ପକ୍ଷରୁ ପ୍ରଚାରିତ ହୋଇଥିବା ନିପୁଣ ଓଡିଶା ଧାରାବାହିକ କାର୍ଯ୍ୟକ୍ରମରେ ନାଟକ, ଲୋକଗୀତ ଓ ସାକ୍ଷାତକାର ଆଦି ଦ୍ୱାରା ଅଭିଭାବକମାନଙ୍କୁ ସଚେତନ କରାଯିବାର ପ୍ରୟାସ ହୋଇଥିଲା. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନିପୁଣ ଭାରତ ଓ ନିପୁଣ ଓଡିଶା କାର୍ଯ୍ୟକ୍ରମ ଜରିଆରେ ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା. ଛାତ୍ରଛାତ୍ରୀ, ଶିକ୍ଷକ, ଅଙ୍ଗନବାଡି କର୍ମୀ, ଅଭିଭାବକ, ଶିକ୍ଷା ଅଧିକାରୀ, ସରପଞ୍ଚ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ମତ ଦେଇଥିଲେ. ରେଡିଓ ଆଉଟରିଚକୁ ଏହି ସମ୍ମାନ ପ୍ରଦାନ କରାଯିବା ପରେ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ ସୁବ୍ରତ କୁମାର ପତି। ମାତୃଭାଷାରେ ଶିକ୍ଷାଦାନର ଆବଶ୍ୟକତା ଓ ଉପଯୁକ୍ତ ଶୈଖିକ ବାତାବରଣ ସୃଷ୍ଟିର ଉଦ୍ଦେଶ୍ୟରେ ଧାରାବାହିକ ଭାବେ ପ୍ରଚାରିତ ନିପୁଣ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ଉପରେ ବେଶ ପ୍ରଭାବ ପକାଇଥିବା କହିଛନ୍ତି ଶ୍ରୀ ପତି ।
