ସାଜନପୁର ପଞ୍ଚାୟତରେ ୧୨୨ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ: ଅଞ୍ଚଳରେ ଖୁସିର ଲହରୀ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସାମାଜିକ ସୁରକ୍ଷା ଏବଂ ବଞ୍ଚିତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ସୋର ବ୍ଲକ ଅନ୍ତର୍ଗତ ସାଜନପୁର ପଞ୍ଚାୟତ ସଭାଗୃହରେ ଏକ ସ୍ୱତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଧୁବାବୁ ପେନସନ ଯୋଜନା (MBPY) ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ନୂତନ ହିତାଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭତ୍ତା ପ୍ରଦାନ କରାଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଅଭିଷେକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୨୨ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ବର୍ଗର ଏହି ହିତାଧିକାରୀ ମାନେ ଭତ୍ତା ପାଇବା ପରେ ସେମାନଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ ଯୋଗ ଦେଇ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାର ସୁଫଳ କିପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେନେଇ ମତବ୍ୟକ୍ତ କରିଥିଲେ । ତାଙ୍କ ସମେତ ପଞ୍ଚାୟତର ଜି ଆର୍ ଏସ୍, ସମସ୍ତ ୱାର୍ଡ ସଭ୍ୟ ଓ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିବାରେ ସକ୍ରିୟ ସହଯୋଗ କରିଥିଲେ । ଦୀର୍ଘ ଦିନ ଧରି ଭତ୍ତା ଅପେକ୍ଷାରେ ଥିବା ଅଞ୍ଚଳର ବହୁ ଲୋକ ଏହି ଯୋଜନାରେ ସାମିଲ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି ।
