ସନ୍ଧ୍ୟା ସମୟରେ ଦୃର୍ବୁତ୍ତଙ୍କ ଆତଙ୍କ ରାଜ: ବାଳଙ୍ଗରେ ପରିବାରକୁ ବାନ୍ଧି ଲକ୍ଷାଧିକ ଟଙ୍କା ଲୁଟ୍
ସୋର (ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର, ଭଞ୍ଜଦୂତ): ଅନନ୍ତପୁର ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୃର୍ବୁତ୍ତ । ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପୋଲିସର ନିଷ୍କ୍ରିୟତା ଓ ଢିଲା ପାଟ୍ରୋଲିଂ ଯୋଗୁଁ ଅନନ୍ତପୁର ଅଞ୍ଚଳରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି।ସନ୍ଧ୍ୟା ସମୟରେ ହାତ ଗୋଡ ବାନ୍ଧି ଲୁଟି ନେଲେ ସର୍ବସ୍ୱ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଯୋଗ ନେଇ ଗତକାଲି ରାତି ପ୍ରାୟ ୮ଟା ସମୟରେ ଅନନ୍ତପୁର ଥାନା ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି। ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ ବାନ୍ଧି ପକାଇବା ସହ ୮ ବର୍ଷର ଶିଶୁପୁତ୍ର ବେକରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଳଙ୍ଗ ଗ୍ରାମର ସୁଶୀଲ କୁମାର ପଲେଇଙ୍କ ପତ୍ନୀ ସଙ୍ଗୀତା ପଲେଇ ଗତକାଲି ରାତିରେ ନିଜ ବାପା ଶ୍ୟାମସୁନ୍ଦର ବିଶ୍ୱାଳ ଓ ୮ ବର୍ଷର ପୁଅ ସହ ଘରେ ଥିଲେ। ରାତି ପ୍ରାୟ ୮ଟା ବେଳେ ସଙ୍ଗୀତା କୌଣସି କାମରେ ଘର ବାହାରକୁ ବାହାରିଥିବା ବେଳେ ପୂର୍ବରୁ ଛକି ରହିଥିବା ଡକାୟତମାନେ ତାଙ୍କୁ କାବୁ କରିନେଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଦୁଇ ହାତ ବାନ୍ଧି ଦେଇଥିଲେ। ପାଟି ଶୁଣି ସଙ୍ଗୀତାଙ୍କ ବାପା ଶ୍ୟାମସୁନ୍ଦର ସେଠାକୁ ଚାଲି ଆସିବାରୁ ଦୁର୍ବୃତ୍ତ ମାନେ ତାଙ୍କ ମୁଣ୍ଡ ଉପରେ ଲୁହା ଶାବଳ ରଖି ଜୀବନରୁ ମାରିଦେବାକୁ ଧମକ ଦେବା ସହ ମାଡ଼ ମାରି ତାଙ୍କ ହାତଗୋଡ଼ ମଧ୍ୟ ବାନ୍ଧି ପକାଇଥିଲେ। ଏହାପରେ ଡକାୟତମାନେ ଘର ଭିତରେ ପଶି ୮ ବର୍ଷର ନିରୀହ ଶିଶୁ ବେକରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ସହ ତା’ ବେକରୁ ସୁନା ଲକେଟ୍ କାଟି ନେଇଥିଲେ। ଏହି ଡକାୟତିରେ ମୋଟ ୬ ଜଣ ଦୁର୍ବୃତ୍ତ ସାମିଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଘର ବାହାରେ ଜଗି ରହି ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖିଥିଲା। ଦୁର୍ବୃତ୍ତମାନେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା, ନଗଦ ୫୦ ହଜାର ଟଙ୍କା, ସ୍ମାର୍ଟଫୋନ୍, ଏଟିଏମ୍ କାର୍ଡ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇ ଚମ୍ପଟ ମାରିଛନ୍ତି।
ସନ୍ଧ୍ୟା ସମୟରେ ଏଭଳି ଦୁଃସାହସିକ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଞ୍ଚଳରେ ନିୟମିତ ପୋଲିସ ପାଟ୍ରୋଲିଂ ହେଉନଥିବାରୁ ଲୁଟେରାମାନେ ନିର୍ଭୟରେ ଏଭଳି କାଣ୍ଡ ଭିଆଉଥିବା ସାଧାରଣରେ ଅଭିଯୋଗ ହେଉଛି। ଘଟଣା ନେଇ ଅନନ୍ତପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।
