ସୋର ଡାକ୍ତରଖାନାରେ ଯୋଡି ହେଲା ନୂତନ ଫର୍ଦ୍ଦ: ବିଧାୟକଙ୍କ ଦ୍ୱାରା ସିବିସି ମେସିନ ପ୍ରଦାନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଡାକ୍ତରଖାନାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଆଜି ସୋର ବିଧାୟକ ମାଧବ ଧଡ଼ାଙ୍କ ଦ୍ୱାରା ବିଧାୟକ ହାତପାଣ୍ଠି (୨୦୨୬-୨୭) ଅନୁଦାନରେ ଡାକ୍ତରଖାନାକୁ ଏକ ଅତ୍ୟାଧୁନିକ ‘ସିବିସି’ (CBC) ମେସିନ୍ ପ୍ରଦାନ କରାଯାଇଛି। ଏହି ମେସିନ୍ କାର୍ଯ୍ୟକ୍ଷମ ହେବା ଫଳରେ ରୋଗୀମାନଙ୍କୁ ଆଉ ରକ୍ତ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ନୂତନ ସିବିସି ମେସିନର ବିଶେଷତ୍ୱ ହେଉଛି, ଏଥିରେ ଏକକାଳୀନ ଏକାଧିକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇପାରିବ। ଏହାଦ୍ୱାରା ସମସ୍ତ ପ୍ରକାର ରକ୍ତ ପରୀକ୍ଷା ସମେତ ‘ଡବଲ୍ୟୁବିସି’ (WBC) ପରୀକ୍ଷା ମଧ୍ୟ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ସମ୍ଭବ ହୋଇପାରିବ। ପୂର୍ବରୁ ରକ୍ତ ପରୀକ୍ଷା ରିପୋର୍ଟ ପାଇବା ପାଇଁ ରୋଗୀମାନଙ୍କୁ ବହୁତ ସମୟ ଅପେକ୍ଷା କରିବା ସହ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା। ମାତ୍ର ଏହି ମେସିନ୍ ଆସିବା ପରେ ରୋଗୀମାନେ ତୁରନ୍ତ ସେବା ପାଇପାରିବେ। ବିଧାୟକଙ୍କ ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ସୋରବାସୀ ଓ ରୋଗୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ଅଧୀକ୍ଷକ ଡା. ସୌମ୍ୟସମ୍ବିତ ବେହେରାଙ୍କ ସହ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହିଥିଲେ।
