ଜନଜାତୀୟ ଗୌରବ ଦିବସରେ ରାଇଘରର ଗର୍ବ; ଗୋଣ୍ଡି ଭାଷାର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱରରେ ଯୋଗଦେଲେ ଦୁଇ ଶିକ୍ଷକ
ରାଇଘର:୨୨/୧୧ (ଉମେଶ ସାହୁ):ଜନଜାତି ସମାଜର ଗୌରବ, ପରମ୍ପରା, ସଂସ୍କୃତି ଓ ଭାଷାର ସୁରକ୍ଷା ସହିତ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଥିବା ଜନଜାତୀୟ ଗୌରବ ଦିବସ ଅବସରରେ ରାଇଘର ବ୍ଲକ ପାଇଁ ଆସିଛି ଏକ ଗର୍ବ ଓ ଗୌରବର ଖବର।ଭୁବନେଶ୍ୱରର ଲକ୍ଷ୍ମୀସାଗରସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ରାଇଘର ବ୍ଲକରୁ ଦୁଇଜଣ ଶିକ୍ଷକ ଯୋଗଦେଇ ଗୋଣ୍ଡି ଭାଷାର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ନିଜର ଅବଦାନ ରଖିଛନ୍ତି।ଏହି ଦୁଇଜଣ ଶିକ୍ଷକ ହେଉଛନ୍ତି ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମର ପିଲସାୟ ଗଣ୍ଡ ଏବଂ ଡୁମରଡିହି ଗ୍ରାମର କେଶନାଥ ଗଣ୍ଡ।ଗୋଣ୍ଡି ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ, ଏହା ଗୋଣ୍ଡ ସମାଜର ଇତିହାସ, ପରମ୍ପରା, ସଂସ୍କୃତି ଓ ପରିଚୟର ଏକ ଅମୂଲ୍ୟ ସମ୍ପଦ। ଆଧୁନିକତାର ପ୍ରଭାବରେ ଆମର ମାତୃଭାଷା ଓ ପାରମ୍ପରିକ ଭାଷାଗୁଡ଼ିକ ଧୀରେ ଧୀରେ ଅବହେଳିତ ହେଉଥିବା ବେଳେ ଏହାର ସୁରକ୍ଷା ଓ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଆଜିର ସମୟର ଏକ ବଡ଼ ଆବଶ୍ୟକତା।ଏହି ଉଦ୍ଦେଶ୍ୟକୁ ଆଗରେ ରଖି ରାଇଘର ଅଞ୍ଚଳର ଦୁଇ ଶିକ୍ଷକ ଭୁବନେଶ୍ୱରରେ ଆୟୋଜିତ ଏହି ଗୌରବମୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୋଣ୍ଡି ଭାଷାର ମହତ୍ତ୍ୱକୁ ଉଜାଗର କରିଛନ୍ତି।ଶିକ୍ଷା କେବଳ ପୁସ୍ତକରେ ସୀମିତ ନୁହେଁ, ନିଜ ମାତୃଭାଷା, ନିଜ ସଂସ୍କୃତି ଓ ନିଜର ପରିଚୟକୁ ବଞ୍ଚାଇ ରଖିବା ମଧ୍ୟ ଶିକ୍ଷାର ଏକ ମୁଖ୍ୟ ଅଂଶ। ତେଣୁ ଗୋଣ୍ଡି ଭାଷାର ଶିକ୍ଷା ଓ ପ୍ରସାର ଦିଗରେ ଏଭଳି ପ୍ରୟାସ ନିଶ୍ଚିତ ଭାବେ ଆଗାମୀ ପିଢ଼ି ପାଇଁ ଏକ ନୂତନ ଦିଗଦର୍ଶନ ହୋଇପାରିବ।ରାଇଘର ମାଟିର ଦୁଇଜଣ ଶିକ୍ଷକଙ୍କ ଏହି ଯୋଗଦାନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ନିଜ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଏଭଳି ଉଦ୍ୟମ ଆଗକୁ ମଧ୍ୟ ଜାରି ରହୁ, ଏହା ହିଁ ସମସ୍ତଙ୍କ ଆଶା।
