*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୭/୧୧:
ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ନୂଆପଡ଼ା ଆନୁକୂଲ୍ୟରେ ସ୍ଥାନୀୟ ପିଏମ୍ଶ୍ରୀ ନେସନାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଆୟୋଜିତ ହୋଇଯାଇଛି।
ଉଦ୍ଘାଟନୀ ସମାରୋହରେ ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ନିଜ ଅଭିଭାଷଣରେ ପାଠପଢ଼ା ସହିତ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପରେ ଯୋଗଦେଇ ଆତ୍ମବିଶ୍ୱାସ, ନେତୃତ୍ୱ ଗୁଣ ଓ ସାମାଜିକ ଦାୟିତ୍ୱବୋଧର ବିକାଶ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଏସ୍ପି ତପନ ନାରାୟଣ ରଥ ଅଭିଭାବକମାନେ ପିଲାମାନଙ୍କ କେବଳ ଶିକ୍ଷାଗତ ଅଗ୍ରଗତି ନୁହେଁ, ବରଂ ସେମାନଙ୍କ ବ୍ୟକ୍ତିତ୍ୱ, ଆଚରଣ ଓ ସାମଗ୍ରିକ ବିକାଶ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ।
ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କହ୍ନର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ. ସୁଖେନ୍ଦୁ ରାୟ, ଜଳବିଭାଜିକା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଗୌରାଙ୍ଗ ସାହୁ ମଞ୍ଚ ପରିଚାଳନା କରିଥିଲେl
ଉଦ୍ଯାପନୀ ସମାରୋହରେ ନୂଆପଡ଼ାର ମାନ୍ୟବର ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ରହିଛି ଏବଂ ତାହାର ଉପଯୁକ୍ତ ବିକାଶ ପାଇଁ ଏଭଳି ମହୋତ୍ସବ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥାଏ।
କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ସଦସ୍ୟ ଅବନୀ ରଞ୍ଜନ ଯୋଶୀ ଓ ଭାନୁ ପ୍ରତାପ ସିଂହ ମାଝୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଶିକ୍ଷାବିତ୍ ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଓ ପି ଏମ୍ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ମହୋତ୍ସବ ଅବସରରେ ବିଭିନ୍ନ ବିଷୟଭିତ୍ତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଉଦଯାପନୀ ସମାରୋହରେ ଶିକ୍ଷକ ଶଙ୍କର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
