କେରଳରେ ପୁଅର ମୃତ୍ୟୁ, ମୃତଦେହ ଫେରାଇବାକୁ ଅସହାୟ ମାଆ
ସ୍ୱାକ୍ର ଉଦ୍ୟମରେ ଜିଲ୍ଲା ପ୍ରଶାସନ ଯୋଗାଇଲା ୨୫ ହଜାର ଟଙ୍କାର ସହାୟତା
ଘୁ .ଉଦୟଗିରି ୭/୧୧ /୨୦୨୬
ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ କେରଳ ଯାଇଥିବା ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ଅସହାୟ ବୃଦ୍ଧା ମାଆ। ଅର୍ଥାଭାବ ଯୋଗୁଁ ପୁଅର ମୃତଦେହକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିବା ବେଳେ ଶେଷରେ ସ୍ୱାକ୍ (ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ)ର ଉଦ୍ୟମରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ମୃତଦେହ ପରିବହନ ପାଇଁ ଜିଲ୍ଲାପାଳ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି।ଏଭଳି ହୃଦୟବିଦାରକ ଘଟଣା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତରାବାଡ଼ି (କୁଅଁସାହି) ଗ୍ରାମରେ ଘଟିଛି। ଗ୍ରାମର ବସନ୍ତ ନାୟକଙ୍କ ୪୦ ବର୍ଷୀୟ ପୁଅ ରାଜେଶ ନାୟକ ଜୀବିକା ନିର୍ବାହ ପାଇଁ କେରଳ ଯାଇଥିବା ବେଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି। ନଭେମ୍ବର ୭ ତାରିଖରେ ପରିବାର ଲୋକେ ତାଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇଥିଲେ। ବର୍ତ୍ତମାନ ତାଙ୍କ ମୃତଦେହ କେରଳର ତ୍ରିଶୁର ମେଡିକାଲ କଲେଜରେ ରହିଛି।ପୁଅର ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପରିବାର ପକ୍ଷରୁ ସ୍ୱାକ୍ର ସହଯୋଗ ଲୋଡ଼ାଯାଇଥିଲା। ଏହାପରେ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ନିବେଦନ କରାଯିବା ସହ ମୃତଦେହ ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ୟମ କରାଯାଇଥିଲା। ସ୍ୱାକ୍ର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ମୃତଦେହ ପରିବହନ ନିମନ୍ତେ ୨୫ ହଜାର ଟଙ୍କା ମଞ୍ଜୁର କରିଥିଲେ।ଏନେଇ ଆଜି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କୁଶଳ ଚନ୍ଦ୍ର ନାଏକଙ୍କଠାରୁ ସହାୟତା ରାଶିର ଚେକ୍ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି ମାନବିକ ପଦକ୍ଷେପ ଶୋକାକୁଳ ଓ ଅସହାୟ ମାଆଙ୍କୁ କିଛିଟା ଆଶ୍ୱାସନା ଦେଇଛି।ଅନ୍ୟପକ୍ଷରେ ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାରେ ଦାଦନ ସମସ୍ୟାର ଗମ୍ଭୀରତାକୁ ସାମ୍ନାକୁ ଆଣିଛି। ଗତ ୧୦୫ ଦିନ ମଧ୍ୟରେ ଜିଲ୍ଲାର ୨୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ଚିନ୍ତାର କାରଣ ପାଲଟିଛି। ଜୀବିକା ଓ ରୋଜଗାର ଅଭାବରୁ ଶ୍ରମିକମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ଏବଂ ଜିଲ୍ଲାରେ ସ୍ଥାୟୀ ରୋଜଗାର ସୃଷ୍ଟି ଦିଗରେ ସରକାର ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଚେକ୍ ଗ୍ରହଣ ସମୟରେ ସ୍ୱାକ୍ର ସମ୍ପାଦକ ହୃଷୀକେଶ ପ୍ରଧାନ, ସଦସ୍ୟ ଅମରେନ୍ଦ୍ର ନାୟକ ଏବଂ ମୃତକଙ୍କ ପରିବାର ପକ୍ଷରୁ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।
