*ଦାବ୍ରିରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ।*
ନୂଆପଡା (ମିଖାଏଲ ନନ୍ଦ),
ତା-୦୬/୧୧
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମ ପଞ୍ଚାୟତର ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରି ଠାରେ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଶୁକ୍ରବାର ସକାଳ ୧୦ଟା ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆୟୋଜନରେ ହୋଇଯାଇଛି। ଦାବ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୁରାଧାସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ , ଦାବ୍ରି ସରପଞ୍ଚ ଅମ୍ବିକା ମାଝୀ, ସମିତିସଭ୍ୟା ଲୋଚନା ମାଝୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜୟରାମ ମାଝୀ, ବୁଢ଼ାଦେଓ ଉଚ୍ଚ ବିଦ୍ୟାଳୟ, ଦାବ୍ରି ର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ବେହେରା, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡୋଳାମଣି ଜଗତ ଏବଂ ସିଆରସିସି ବିରଞ୍ଚି ମେହେର ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଅଞ୍ଚଳର ଶିକ୍ଷାର ବିକାଶ, ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାର ସୁଯୋଗ ପ୍ରଦାନ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ପ୍ରସ୍ତାବିତ ବିଦ୍ୟାଳୟର ଗୁରୁତ୍ୱ ରହିଥିବା ନେଇ ଆଲୋଚନା ହୋଇଥିଲା। ବିଦ୍ୟାଳୟଟି ଆଦର୍ଶ ହେଲେ ଦାବ୍ରି ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷାର ସୁଯୋଗ ପାଇପାରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
ଦୀର୍ଘଦିନର ଶିକ୍ଷାଗତ ଆଶାକୁ ସାକାର କରିବା ଦିଗରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗ ଦେବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।
