*ନୂଆପଡ଼ା ଜିଲ୍ଲା ଯୋଜନା କମିଟିର ୨୦ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ବାର୍ଷିକ ଯୋଜନା ଉପରେ ଆଲୋଚନା*
ନୂଆପଡା(ମିଖାଏଲ ନନ୍ଦ)
ତା-୦୬/୧୧:
ନୂଆପଡ଼ା ଜିଲ୍ଲାର ୨୦ତମ ଜିଲ୍ଲା ଯୋଜନା କମିଟି ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହଠାରେ କମିଟିର ଅଧ୍ୟକ୍ଷ ତଥା ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ବିଭାଗୀୟ ସମନ୍ୱୟ ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ତଥା ଜିଲ୍ଲା ଯୋଜନା କମିଟିର ସଦସ୍ୟ ସଚିବ ଅନ୍ୟା ଦାସ ଉପସ୍ଥିତ ଜନପ୍ରତିନିଧି ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ। ପରେ କମିଟିର ଅଧ୍ୟକ୍ଷ ଜୟ ଢୋଲକିଆ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ।
ବୈଠକରେ ୧୯ତମ ଜିଲ୍ଲା ଯୋଜନା କମିଟି ବୈଠକର ବିବରଣୀ ଅନୁମୋଦନ ସହ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ପ୍ରାପ୍ତ ପାଣ୍ଠିର ବିନିଯୋଗ ଓ ବ୍ୟୟ ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଏଥିସହ ଜିଲ୍ଲାର ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ବର୍ଷ ପାଇଁ ପ୍ରସ୍ତୁତ ବ୍ୟାପକ ଜିଲ୍ଲା ବାର୍ଷିକ ଯୋଜନା ପରେ ଆଲୋଚନା ହୋଇଥିଲା। ସେହିପରି ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ KBK ବିକାଶ ଯୋଜନାର ଆର୍ଥିକ ଓ ଭୌତିକ ଅଗ୍ରଗତି, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ତଥା ଜିଲ୍ଲାସ୍ତରୀୟ ବାର୍ଷିକ କାର୍ଯ୍ୟଖସଡ଼ା ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରାଯାଇଥିଲା।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡୋଳି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟବୃନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ଉପନିର୍ଦ୍ଦେଶକ, ଯୋଜନା ଦିଲେଶ୍ୱର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
