ବାତ୍ୟା ‘ଅର୍ଣ୍ଣବ’ର ଦୁଃଖ ନ ସରୁଣୁ ପୁଣି ‘ମୁରସୁ’ ଭୟ! ଆତଙ୍କିତ ଗଞ୍ଜାମବାସୀ।
ଶେରଗଡ,ରିପୋର୍ଟ:- ରାଜକିଶୋର ସାବତ
ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରୁ ଗଞ୍ଜାମ ଜିଲ୍ଲାବାସୀ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବା ବେଳେ ପୁଣି ଏକ ବାତ୍ୟା ‘ମୁରସୁ’ର ଆଗମନ ଆଶଙ୍କା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ ପବନ ହେବାର ଆଶଙ୍କା ରହିଛି।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୩ ଓ ୪ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ଏବଂ ସ୍ଥାନେ ସ୍ଥାନେ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ତଳିଆ ଅଞ୍ଚଳ ଓ ବନ୍ୟାପ୍ରବଣ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଜିଲ୍ଲାର ଅନେକ ଅଞ୍ଚଳରେ ଫସଲ କ୍ଷତି, ଜଳବନ୍ଦୀ ଓ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିବା ବେଳେ ପୁଣି ବାତ୍ୟା ମୁରସୁର ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ବିଶେଷ କରି ଧାନ ଫସଲ ଓ ଅମଳ ସମୟକୁ ନେଇ ଚାଷୀମାନେ ଚିନ୍ତିତ ଅଛନ୍ତି।ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ଅଞ୍ଚଳରେ ଆବଶ୍ୟକ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ଓ ଆଶ୍ରୟସ୍ଥଳୀ ବ୍ୟବସ୍ଥାକୁ ସଜାଗ ରଖିବାକୁ ପଦକ୍ଷେପ ନିଆଯାଉଛି। ଏହି ସମୟରେ ଜନସାଧାରଣଙ୍କୁ ଭୟଭୀତ ନହୋଇ ସତର୍କ ରହିବା ଏବଂ ପାଣିପାଗ ବିଭାଗ ଓ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।
