ମାସର ପ୍ରଥମ ସୋମବାରରେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ ହବିଷ ଆରମ୍ଭ
ବେଲଗୁଣ୍ଠା, ୨୬/୧୦, -(ଶିବରାମ ଚୌଧୁରୀ )-ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ବେଲଗୁଣ୍ଠାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହବିଷ୍ୟାଳିମାନଙ୍କ ପକ୍ଷରୁ ହବିଷ ବ୍ରତ ଆରମ୍ଭ ହୋଇଛି। ଏଥିସହିତ ପବିତ୍ର ରାଇ ଦାମୋଦର ବ୍ରତ ମଧ୍ୟ ଆରମ୍ଭ ହୋଇଥିବାରୁ ମନ୍ଦିର ପରିସର ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଛି।କାର୍ତ୍ତିକ ମାସର ଧାର୍ମିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ହବିଷ୍ୟାଳିମାନେ ନିଷ୍ଠା ଓ ଭକ୍ତିର ସହ ମାସବ୍ୟାପୀ ବ୍ରତ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଅବସରରେ ହବିଷ୍ୟାଳିମାନେ ରାଧାକୃଷ୍ଣ ବେଶ ଧାରଣ କରିଥିବା ବେଳେ ମନ୍ଦିର ପରିସରରେ ନାମ ସଙ୍କୀର୍ତ୍ତନ ଓ ଭଜନକୀର୍ତ୍ତନରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା।ବ୍ରତର ନିୟମ ଅନୁଯାୟୀ ହବିଷ୍ୟାଳିମାନେ ଶ୍ରଦ୍ଧାର ସହ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ହବିଷ ପ୍ରସାଦ ସେବନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ ଓ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ଏହି ପବିତ୍ର ମାସରେ ବ୍ରତ ପାଳନ କରାଯାଉଥିବା ବେଳେ ମନ୍ଦିର ପରିସରରେ ଭକ୍ତି ଓ ଶ୍ରଦ୍ଧାର ଅନନ୍ୟ ପରିବେଶ ପରିଲକ୍ଷିତ ହୋଇଥିଲା।
