ପୂର୍ବ ଶତ୍ରୁତାର କରୁଣ ପରିଣତି: ସୁନାର ଫସଲରେ ଘାସମରା ବିଷ ପ୍ରୟୋଗ
ସୋର (ସୋର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ): ସୋର ଅଞ୍ଚଳରେ ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଗରୀବ ଚାଷିଟି ଯେଉଁ ସୁନା ର ଫସଲ ଆଶାରେ ଥିଲା ପୂବ ଶତ୍ରୁତାକୁ କେନ୍ଦ୍ରକରି ସେହି ଚାଷ ବିଲରେ ଦୃର୍ବୁତ୍ତ ମାନେ ଘାସମରା ବିଷ ପ୍ରୟୋଗ କରି ନଷ୍ଟ କଲେ ସୁନାର ଫସଲ। ନିଜର ଉଜୁଡ଼ା ଫସଲ ଦେଖି ଚାଷୀ ଜଣକ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ନ୍ୟାୟ ଆଶାରେ ସୋର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲା ସୋର ଥାନା ଅନ୍ତର୍ଗତ ସବିରା ପଞ୍ଚାୟତର ଭାଟପଡା ଗ୍ରାମର କୃଷ୍ଣ ଚନ୍ଦ୍ର ବାରିକ ନିଜର ୪୪ ଡିସିମିଲ ଜମିରେ ବହୁ କଷ୍ଟରେ ଧାନ ଚାଷ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରୋଶମୂଳକ ଭାବେ ତାଙ୍କର ଉକ୍ତ ଧାନ ବିଲରେ ଘାସମରା ବିଷ ପ୍ରୟୋଗ କରିଦେଇଥିଲେ। ବିଷ ପ୍ରଭାବରେ ସମ୍ପୂର୍ଣ୍ଣ ଧାନ ଫସଲ ଏବେ ପୋଡ଼ି ଜଳି ନଷ୍ଟ ହୋଇ ଯାଉଥିବା ଦେଖିବାକୁ ମିଳିଛି। ଅମଳ ସମୟ ପାଖେଇ ଆସୁଥିବା ବେଳେ ଦୁର୍ବୃତ୍ତଙ୍କ ଏଭଳି ହୀନ କାର୍ଯ୍ୟ ଯୋଗୁଁ ବୃଦ୍ଧ ଚାଷୀ କୃଷ୍ଣ ଚନ୍ଦ୍ର ବାରିକ ଓ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାକୁ ନେଇ ସେ ସୋର ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ପୋଲିସ ଏତଲାକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏଭଳି ହୀନ କାର୍ଯ୍ୟ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ତଥା ସାଧାରଣରେ ଦାବି ହୋଇଛି।
